ମୁଖ୍ୟ ଖବର

ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ବୈଠକ: ବର୍ଷାଦିନେ ସମ୍ଭାବ୍ୟ ବନ୍ୟାବାତ୍ୟା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ

By Biswaranjan Pattnaik

May 25, 2023

ଅନୁଗୁଳ: ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ନିର୍ଦ୍ଦେଶକ୍ରମେ ଆଜି ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ବୈଠକ ସର୍କିଟ ହାଉସ୍ ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ରଜନୀକାନ୍ତ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ଅଗସ୍ତ ବେହେରା, ଛେଣ୍ଡିପଦା ବିଧାୟକଙ୍କ ପ୍ରତିନିଧି ପ୍ରଦୀପ କୁମାର ସାହୁ, ଛେଣ୍ଡିପଦା ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମିତ୍ରା ସାହୁ ଯୋଗ ଦେଇଥିଲେ।

ଅତିରିକ୍ତ ଜିଲ୍ଲାପାଳ ଆସନ୍ତା ବର୍ଷା ଋତୁ ପୂର୍ବରୁ ବିପର୍ଯ୍ୟୟ ପ୍ରଶମନ ନିମନ୍ତେ ପ୍ରସ୍ତୁତି ସମ୍ପର୍କରେ କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନା କରିଥିଲେ। ଆପାତକାଳୀନ ଅଧିକାରୀ ସତ୍ୟାନନ୍ଦ ଦାସ ପୂର୍ବ ବର୍ଷର ବିବରଣୀ ପାଠ କରିଥିଲେ। ମୁଖ୍ୟତଃ ବନ୍ୟା ବାତ୍ୟା ଭଳି ଆପାତକାଳୀନ ସ୍ଥିତିରେ ରାସ୍ତା ଘାଟ, ବିଦ୍ୟୁତ୍ ସରବରାହ,ପାନୀୟ ଜଳ ଯୋଗାଣ, ଦୂରଭାଷ, ଶୁଖିଲା ଖାଦ୍ୟ, ପଶୁ ପକ୍ଷୀଙ୍କ ନିମନ୍ତେ ଖାଦ୍ୟ, ପଲିଥିନ, ଔଷଧ ମହଜୁଦ ରଖିବା, ପ୍ରଭାବିତ ହେବାକୁ ଥିବା ଅଞ୍ଚଳଗୁଡିକରେ କଣ୍ଟ୍ରୋଲ ରୁମ୍ ସ୍ଥାପନ ସହ ଉଦ୍ଧାର କାର୍ଯ୍ୟ ନିମନ୍ତେ ଡଙ୍ଗାଗୁଡିକୁ ସଜାଗ ରଖିବା, ଜଳ ନିଷ୍କାସନ ନିମନ୍ତେ ନାଳ ନର୍ଦ୍ଦମାଗୁଡିକୁ ସଫା ରଖିବା ନେଇ ସମସ୍ତ ବିଭାଗୀୟ କର୍ମକର୍ତ୍ତାମାନେ ସ୍ବୟଂ ସହାୟକ ଗୋଷ୍ଠୀ ଓ ପଞ୍ଚାୟତରାଜ ଅନୁଷ୍ଠାନମାନଙ୍କ ସହଯୋଗରେ କାର୍ଯ୍ୟ କରିବା ଉପରେ ବିଶେଷ ଭାବରେ ଆଲୋଚନା ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସନ୍ତୋଷ କୁମାର ପ୍ରଧାନ, କର୍ତ୍ତୃପକ୍ଷର ଜିଲ୍ଲା ସଂଯୋଜକ ପ୍ରଦୀପ କୁମାର ପାତ୍ର, ସମସ୍ତ ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ,ତହସିଲଦାରଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।