ମୁଖ୍ୟ ଖବର

ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ବୈଠକ

By Angul TV Bureau

June 19, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ବୈଠକ ଶନିବାର ସକାଳେ ଜିଲ୍ଲାକାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଚଳିତ ମୌସୁମୀ ବର୍ଷାରେ ଅଧିକ ପାଣି ଆସି ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଂକା ଥିବାରୁ ଏହାର ମୁକାବିଲା କରିବା ସହ ପ୍ରସ୍ତୁତ ରହିବାକୁ ନେଇ ବୈଠକରେ ଆଲୋଚନା କରାଯାଇଥିଲା। ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ସଠିକ୍ ମୁକାବିଲା ନିମନ୍ତେ ଆନୁସଙ୍ଗୀକ ବ୍ୟବସ୍ଥା ସହ ସଜାଗ ଓ ପ୍ରସ୍ତୁତରହିବାକୁ ବିଭାଗୀୟ ଅଧିକାରୀମାନେ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଥିଲା। ବନ୍ୟା ଓ ବାତ୍ୟା ଦ୍ବାରା କ୍ଷତିଗ୍ରସ୍ତ ହେବାକୁ ଥିବା ଅଞ୍ଚଳକୁ ଚିହ୍ନଟ କରିବା ଓ ଏହାର ମୁକାବିଲା କରିବା ପାଇଁ ସମସ୍ତେ ପ୍ରସ୍ତୁତ ରହିବାକୁ ସ୍ଥିର କରାଗଲା। ବନ୍ୟା ଓ ବାତ୍ୟା ହେଲେ ଏହାର ପୂର୍ବ ଓ ପରବର୍ତ୍ତୀ ଅବସ୍ଥାକୁ ସଠିକ୍ ଭାବେ ଅନୁଧ୍ୟାନ କରିଏହାର ପ୍ରତିକାର କରିବା, ଜିଲ୍ଲା ସ୍ତରରେ ନିୟନ୍ତ୍ରଣ କକ୍ଷ ଖୋଲାଯାଇ ସମସ୍ତ ପ୍ରକାର ସୂଚନା ଆଦାନ ପ୍ରଦାନ କରିବା ଉପରେ ଗୁରୁତ୍ବ ଦିଆଯାଇଥିଲା। ଏଥିସହ ବନ୍ୟା ପୂର୍ବରୁ ଓ ପରେ କ୍ଷୟକ୍ଷତିକୁ ଆକଳନ କରି ଏହାର ପ୍ରତିକାର କରିବା ପାଇଁ ବିଭାଗୀୟ ଅଧିକାରୀମାନେ ସେମାନଙ୍କର ବିଭାଗୀୟ ପ୍ରସ୍ତୁତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଜିଲ୍ଲାରେ ମହାନଦୀ ଓ ବ୍ରାହ୍ମଣୀରେ ବନ୍ୟାଜଳ ଆସି ଖାଲୁଆ ଅଞ୍ଚଳରେ ପାଣି ପଶିବାର ସମ୍ଭାବନା ରହିଛି। ସେଥି ପାଇଁ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଶସ୍ୟ ମହଜୁଦ ରଖୁବା ସହ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିବା ନିମନ୍ତେ ପାୱାର ବୋଟ ଓ ଦେଶୀ ଡଙ୍ଗା ପ୍ରସ୍ତୁତ ରଖୁବାକୁ ସ୍ଥିର କରାଗଲା। ଟିକଟପଡା, ଆଠମଲ୍ଲିକ, ତାଳଚେର ଓ ଛେଣ୍ଡିପଦାର କିଛି ଅଞ୍ଚଳ ଜଳମଗ୍ନ ହେଉଥିବାରୁ ଆଗୁଆ ପଦକ୍ଷେପ ନେବାକୁ ଗୋଷ୍ଠୀ ଉନ୍ନୟନଅଧିକାରୀମାନଙ୍କୁ ପରାମର୍ଶ ଦିଆଗଲା। ବୈଠକରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ରଜନୀକାନ୍ତ ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ସନ୍ତୋଷ କୁମାର ପ୍ରଧାନ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରସନ୍ନ କୁମାର ବିଶ୍ବାଳ , ଆସିଷ୍ଟାଣ୍ଟ କଲେକ୍ଟର ଅଜୟ ଗଡନାୟକଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ।