ଅନୁଗୁଳ: ଚଳିତ ବର୍ଷର ଆଗାମୀ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଅନୁଗୁଳ ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ୍ ଅଖତରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଜିଲ୍ଲାପାଳ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରିବା ସହ ଜଳକ୍ଲିଷ୍ଟ ଅଞ୍ଚଳଗୁଡ଼ିକରେ ପାନୀୟ ଜଳର ସୁବ୍ୟବସ୍ଥା କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଦୃଢ଼ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ଗ୍ରୀଷ୍ମ ଋତୁରେ ଅଚଳ ନଳକୂପଗୁଡ଼ିକର ତୁରନ୍ତ ମରାମତି କରିବା ସହିତ ହାଟବଜାର, ବସଷ୍ଟାଣ୍ଡ ଓ ଅନ୍ୟାନ୍ୟ ଜ okନଗହଳି ପୂର୍ଣ୍ଣ ସ୍ଥାନମାନଙ୍କରେ ଜଳଛତ୍ର ଖୋଲିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।
ଶ୍ରମିକମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ଯେ, କାର୍ଯ୍ୟସ୍ଥଳରେ ପର୍ଯ୍ୟାପ୍ତ ପାନୀୟ ଜଳ ଓ ଆଶ୍ରୟସ୍ଥଳର ବ୍ୟବସ୍ଥା କରାଯିବ ଏବଂ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପ୍ରଖର ଖରାରେ କୌଣସି ଶ୍ରମିକ କାମ କରିବେ ନାହିଁ। ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସତର୍କତା ଅବଲମ୍ବନ କରି ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱତନ୍ତ୍ର ଅଂଶୁଘାତ କକ୍ଷ ପ୍ରସ୍ତୁତ ରଖିବା ସହ ପର୍ଯ୍ୟାପ୍ତ ପରିମାଣର ଓ.ଆର.ଏସ୍ ପାଉଡର ଓ ସାଲାଇନ ମହଜୁଦ ରଖିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ କୁହାଯାଇଛି। ଏଥିସହିତ ସମସ୍ତ ଯାତ୍ରୀବାହୀ ଗାଡ଼ିରେ ଜଳ ଓ ଓ.ଆର.ଏସ୍ ରଖିବା ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକରେ ପାଠପଢ଼ା ସମୟ ନିର୍ଦ୍ଧାରଣ କରିବା ପାଇଁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ବୈଠକରେ ପଶୁସମ୍ପଦ ପାଇଁ ପାନୀୟ ଜଳ ବ୍ୟବସ୍ଥା ଉପରେ ବିଷଦ ଆଲୋଚନା କରାଯାଇଥିଲା। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଦେବଦତ୍ତ ମହନ୍ତ, ତାଳଚେର ଉପଜିଲ୍ଲାପାଳ ସମୀର କୁମାର ଜେନା, ଆଠମଲ୍ଲିକ ଉପଜିଲ୍ଲାପାଳ ଉପେନ୍ଦ୍ର ଲୋହା, ପାଳଲହଡ଼ା ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପଟେଲ ଏବଂ ଏମ୍.ସି.ଏଲ୍, ନାଲ୍କୋ ଓ ଏନ୍.ଟି.ପି.ସି ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ନିଜ ନିଜର ମତାମତ ପ୍ରଦାନ କରିଥିଲେ।