ଅନୁଗୋଳ: ଅନୁଗୋଳ ଜିଲ୍ଲା ସ୍ଥାନୀୟ ଖଲାରି ନୋଡାଲ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ବିଜ୍ଞାନ ପାଠଚକ୍ର ଅନୁଷ୍ଠିତ ହୋଇଛି। ‘ଭାରତୀୟ ଶକ୍ତି ବାସ୍କେଟ ୨୦୪୭: ସମ୍ଭାବନା ଓ ଆହ୍ୱାନ’ ଶୀର୍ଷକ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଲୋପାମୁଦ୍ରା ପଟ୍ଟନାୟକ ପୌରୋହିତ୍ୟ କରି ଛାତ୍ରଛାତ୍ରୀଙ୍କୁ ଦକ୍ଷ ମାନବ ସମ୍ବଳ ହେବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଅମ୍ବୁଜ ଗଡ଼ନାୟକ ଉଦ୍ଦେଶ୍ୟ ଜ୍ଞାପନ କରିଥିବାବେଳେ ୮ଟି ବ୍ଲକରୁ ୧୬ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।
ପ୍ରତିଯୋଗିତାରେ ପାଳଲହଡ଼ା ମହତାବ ଉଚ୍ଚ ବିଦ୍ୟାଳୟର ମହମ୍ମଦ ଫରହାନ ପ୍ରଥମ, ପିଏମଶ୍ରୀ ଅନୁଗୋଳ ଉଚ୍ଚ ବିଦ୍ୟାଳୟର ଇପ୍ସିତା ମିଶ୍ର ଦ୍ୱିତୀୟ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରଣିଆକଟାର ବିଶ୍ୱଜିତ୍ ସାହୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ପ୍ରଥମ ସ୍ଥାନ ହାସଲ କରିଥିବା ମହମ୍ମଦ ଫରହାନ ଆଗାମୀ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି। ଖଲାରି ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧାଂଶୁ ଶେଖର ବିଶ୍ୱାଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।