ମୁଖ୍ୟ ଖବର

ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ଉତ୍ସାହ ଓ ମହକ’ ଆୟୋଜିତ, ଯଶୋଦା ଯୋଜନାରେ ପୁରସ୍କାର ପ୍ରଦାନ

By Angul TV Bureau

September 22, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ଉତ୍ସାହ ଓ ମହକ’ ଅନୁଗୁଳ ବ୍ଲକ ଡାଇମଣ୍ଡ ଠାରେ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଉତ୍କଳ ବାଳାଶ୍ରମ, ଆଦୃତ ଶିଶୁ ସଦନ, ଆଠମଲ୍ଲିକ ବାଳାଶ୍ରମ ଏବଂ ନବଜୀବନ କମ୍ୟୁନିଟି ସେଣ୍ଟର ଶିଶୁ ଯନ୍ତ୍ର ଅନୁଷ୍ଠାନର ଶିଶୁ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।

ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଶୁଙ୍କର ଅନ୍ତଃନିର୍ମିତ ଗୁଣାବଳୀର ବିକାଶ ପାଇଁ ଏହି କାର୍ଯ୍ୟକ୍ରମ ଏକ ଉତ୍ତମ ମାଧ୍ୟମ ବୋଲି କହିଥିଲେ । ସେପ୍ଟେମ୍ବର ୧୩ ରେ କ୍ରୀଡ଼ା ପ୍ରତିଯୋଗିତାରେ ବିଜେତାଙ୍କୁ ପୁରସ୍କାର ବିତରଣ କରିଥିଲେ। ଏହା ସହ ଚଳିତ ବର୍ଷ ଅନୁଷ୍ଠାନରୁ ଦଶମ ବୋର୍ଡ ପରୀକ୍ଷାରେ ୬୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ୨ ଜଣ ଶିଶୁଙ୍କୁ ଯଶୋଦା ଯୋଜନାରେ ୫ ହଜାର ଟଙ୍କା ଲେଖାଏଁ ଚେକ୍ ମାଧ୍ୟମରେ ପୁରସ୍କାର ପ୍ରଦାନ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରି ଶଙ୍କର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡା. ଅନ୍ତର୍ଯ୍ୟାମୀ ମିଶ୍ର, ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ଦୀପ୍ତିମୟୀ ସାହୁ, କିଶୋର ନ୍ୟାୟ ବୋର୍ଡର ସଦସ୍ୟ ରଜତ ଦାସ, ଜିଲ୍ଲା ପଞ୍ଚାୟତ ଅଧିକାରିଣୀ ଚିନ୍ମୟୀ ସାମନ୍ତରାୟ, ଜିଲ୍ଲା ସ୍ବଳ୍ପ ସଂଚୟ ଅଧିକାରୀ ଜଗନ୍ନାଥ ସେନାପତି ମଞ୍ଚାସୀନ ରହି ଭାଷଣ ପ୍ରଦାନ କରିଥିଲେ।

ଶେଷରେ ଉପଆରକ୍ଷୀ ଅଧୀକ୍ଷକ ଯୋଗେଶ୍ବରୀ ବେହେରା, ଉପଆରକ୍ଷୀ ଅଧୀକ୍ଷକ ଲଳିତା ଲାକ୍ରା, ପି ଓ ଦ୍ରୌପଦୀ ମାରାଣ୍ଡି, ଡ. କୁଳମଣି ନାୟକ, କିଶୋର ନ୍ୟାୟ ବୋର୍ଡର ସଦସ୍ୟା ଗୀତାଞ୍ଜଳି ପ୍ରଧାନ ଓ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର କର୍ମଚାରୀ ମହକ କାର୍ଯ୍ୟକ୍ରମର ବିଜେତାଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଜିଲ୍ଲା ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବିଜେତା ମାନେ ରାଜ୍ୟ ସ୍ତରରେ ଉତ୍ସାହ ଓ ମହକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରା ସୂଚନା ଦେଇଥିଲେ।