ମୁଖ୍ୟ ଖବର

ବିଦ୍ୟାଳୟ ସୁରକ୍ଷା ଓ ବିଦ୍ୟାଳୟ ସୁରକ୍ଷା ସପ୍ତାହ ପାଳନ ନେଇ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ, ଶିଶୁପ୍ରିୟ ପରିବେଶ ସୃଷ୍ଟି ଉପରେ ଗୁରୁତ୍ୱ

By Angul TV Bureau

May 30, 2024

ଅନୁଗୁଳ: ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବିଦ୍ୟାଳୟ ସୁରକ୍ଷା ଓ ବିଦ୍ୟାଳୟ ସୁରକ୍ଷା ସପ୍ତାହ ପାଳନର ସଠିକ କାର୍ଯ୍ୟକାରିତା ସମ୍ପର୍କିତ ଏକ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଅନୁଗୁଳ ଜିଲ୍ଲା ଶିକ୍ଷାଧିକାରୀ ସୁସ୍ମିତା ସାହୁ କାର୍ଯ୍ୟକ୍ରମରେ ଯୋଗଦେଇ ଏହାର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ ଆମ ବିଦ୍ୟାଳୟକୁ କିପରି ଏକ ଶିଶୁପ୍ରିୟ ତଥା ସୁରକ୍ଷିତ ପରିବେଶ ସୃଷ୍ଟି କରାଯାଇପାରିବ ଏ ନେଇ ଦିଗଦର୍ଶନ ଦେଇଥିଲେ। ଏ ଦିଗରେ ଶତ ପ୍ରତିଶତ ସଫଳତା ନିମନ୍ତେ ଆହୁରି ଅଧୂକ ପଦକ୍ଷେପ ନେବା ପାଇଁ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ, ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ/ସଭ୍ୟା ଓ ଗୋଷ୍ଠୀ ସମୁଦାୟଙ୍କ ସମ୍ପୃକ୍ତି ଅତି ଜରୁରୀ ନେଇ ଆଲୋଚନା କରାଯାଇଥିଲା।

ଆସନ୍ତା ଜୁନ ମାସ ୧୯ ତାରିଖ ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟରେ ବିଦ୍ୟାଳୟ ସୁରକ୍ଷା ସପ୍ତାହ ପାଳନ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବା ପାଇଁ ସମସ୍ତ ଅତିଥିଙ୍କୁ ଅବଗତ କରାଯାଇଥିଲା। ଶେଷରେ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମର ସଠିକ ରୂପେ ସୁପରିଚାଳନା ଓ ଆନୁଷଙ୍ଗିକ ତଥ୍ୟକୁ ସମୟାନୁଯାୟୀ ପୈଠ କରିବା ନେଇ ଅବଗତ କରାଯିବା ଓ ମାଗଣା ସ୍କୁଲ ପୋଷାକର ବଣ୍ଟନକୁ ତ୍ବରାନିତ କରିବା ନେଇ ଆଲୋଚନା କରାଯାଇଥିଲା ।

କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧୁକାରୀ, ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ସମସ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ, ସମସ୍ତ ହିସାବ ରକ୍ଷକ, ଡାଟା ଏଣ୍ଟ୍ରି ଅପରେଟର ଓ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତଥା ସମଗ୍ର ଶିକ୍ଷା କାର୍ଯ୍ୟାଳୟର ସମସ୍ତ ସଂଯୋଜକ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।