ମୁଖ୍ୟ ଖବର

ଲିଙ୍ଗଗତ ହିଂସା ଓ ସ୍ୱାସ୍ଥ୍ୟଗତ ଯତ୍ନ ସମ୍ପର୍କିତ ଜିଲ୍ଲାସ୍ତରୀୟ କର୍ମଶାଳା, ମହିଳାଙ୍କ ସୁରକ୍ଷା ଉପରେ ଗୁରୁତ୍ୱାରୋପ

By Angul TV Bureau

February 28, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୋମବାର ଠାରୁ ଲିଙ୍ଗଗତ ହିଂସା ଓ ସ୍ବାସ୍ଥ୍ୟଗତ ଯତ୍ନ ସମ୍ପର୍କିତ ଦୁଇଦିନିଆ ଜିଲ୍ଲାସ୍ତରୀୟ କର୍ମଶାଳା ଜାତୀୟ ସ୍ୱାସ୍ଥ୍ୟ ମିଶନ ସହଯୋଗରେ ଅନୁଷ୍ଠିତ ହୋଇଛି। କର୍ମଶାଳାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନ ଅଧ୍ୟକ୍ଷତା କରି ମହିଳାଙ୍କ ସ୍ୱାସ୍ଥ୍ୟଗତ ସୁରକ୍ଷା ଏବଂ ଆଇନଗତ ସୁରକ୍ଷା ଉପରେ ଆଲୋକପାତ କରିଥିଲେ। ଏହି କର୍ମଶାଳାରେ ବିଭିନ୍ନ ଚିକିତ୍ସାଳୟରୁ ମେଡିକାଲ ଅଫିସର ଏବଂ ଷ୍ଟାଫ୍ ନର୍ସ ଯୋଗ ଦେଇ ବିଭିନ୍ନ ବିଷୟରେ ତାଲିମ ଗ୍ରହଣ କରିଥିଲେ।

କର୍ମଶାଳାକୁ ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ତଥା ଆଡଭୋକେଟ ଜେନେରାଲଙ୍କ କାର୍ଯ୍ୟାଳୟ ଉପଦେଷ୍ଟା ମଣ୍ଡଳୀର ସଦସ୍ୟା ନମ୍ରତା ଚଢ଼ା କାର୍ଯ୍ୟକ୍ରମକୁ ପରିଚାଳନା କରି ମହିଳାଙ୍କ ଉପରେ ହେଉଥିବା ଘୃଣ୍ୟ ଅତ୍ୟାଚାର, କନ୍ୟାଭ୍ରୁଣ ହତ୍ୟା, କର୍ମ କ୍ଷେତ୍ରରେ ମହିଳାଙ୍କୁ ଅସଦାଚରଣକୁ ରୋକିବା ସମ୍ପର୍କରେ ଥିବା ଆଇନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବାଙ୍ଗାଲୋରର ଫରେନସିକ୍ ଏକ୍ସପର୍ଟ ଡ.ଦେବଦାସ ପି.କେ, ସ୍ବେଚ୍ଛାସେବୀ ସଂସ୍ଥା ‘ସାଥୀ’ ର ଜିଲ୍ଲା ସଂଯୋଜକ ଚନ୍ଦନ କୁମାର ପ୍ରଧାନ, କମ୍ୟୁନିଟି ମୋବିଲାଇଜର ଚନ୍ଦନ ନାୟକ, ରାଜ୍ୟ କାର୍ଯ୍ୟକ୍ରମ ବିଶେଷଜ୍ଞ ଅଫସାନା ବେଗମ୍, ଏନ୍କେଣ୍ଡର ହେଲଥର ଷ୍ଟେଟ ପ୍ରୋଜେକ୍ଟ ମ୍ୟାନେଜର ଖୁସିବୁ ବୋଥ୍ରୋ, ଷ୍ଟେଟ ପ୍ରୋଜେକ୍ଟ ଆସୋସିଏଟ୍ ନୂତନ ଦ୍ବିବେଦୀ, ଡି.ପି.ଏମ୍ (ଏନ୍ ଏଚ୍. ଏମ୍) ଦୀପକ କୁମାର ମହାନ୍ତି, ଆଶା ମ୍ୟାନେଜର ବିକାଶିନୀ ପରିଡା ପ୍ରମୁଖ ଯୋଗ ଦେଇଥିଲେ।