ଅନୁଗୁଳ: ଅନୁଗୁଳ ଜିଲ୍ଲା କୃଷି ବିଭାଗ ଓ ୱାସାନର ମିଳିତ ସହଯୋଗରେ ଆନ୍ତଃ ଜିଲ୍ଲା ମିଲେଟ କର୍ମଶାଳା ଓ ଖାଦ୍ୟ ମେଳା ମଙ୍ଗଳବାର ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଢେଙ୍କାନାଳ, ଅନୁଗୁଳ ଓ ବୌଦ୍ଧ ଜିଲ୍ଲାର ସ୍ବୟଂ ସହାୟକ ଗୋଷ୍ଠୀର ଶତାଧିକ କର୍ମୀ ମାଣ୍ଡିଆ, ଯଅ, ସୁଆଁ, ବାଜରା ଇତ୍ୟାଦିରୁ ବିଭିନ୍ନ ପ୍ରକାରର ସୁସ୍ବାଦୁ ଖାଦ୍ୟ ପ୍ରସ୍ତୁତ କରି ପ୍ରଦର୍ଶନ କରିଥିଲେ। ଆୟୋଜିତ ସଭାରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରମିଳା କୁମାର ସ୍ବାଇଁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ )ରଜନୀକାନ୍ତ ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସନ୍ତୋଷ କୁମାର ପ୍ରଧାନ ପ୍ରମୁଖ ଯୋଗ ମିଲେଟ ମିଶନର ସଫଳତା ପାଇଁ କୃଷକଙ୍କୁ ଉପଯୁକ୍ତ ତାଲିକା ଦେଇ ଓ ଉପଭୋକ୍ତାଙ୍କୁ ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ଆହ୍ୱାନ ଦେଇଲେ।
ଅନ୍ୟମାନଙ୍କ ମଧ୍ୟରେ ଅନୁଗୁଳ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ.ଦେବାଶିଷ ମିଶ୍ର, ଓରମାସର ଉପ-କାର୍ଯ୍ୟନିର୍ବାହୀ ଅଧିକାରୀ ସୌରଭମୟ ଦାସ, ଜେଏସପିଏଲର ପୁଷ୍ପଲତା ଶତପଥୀ, ନାଲକୋର ଡିଜିଏମ୍ ଶୁଭେନ୍ଦୁ କୁମାର ନାୟକ, ଓଡିଶା ଜୀବିକା ମିଶନର ଡିପିଏମ୍ ଡ.ଚନ୍ଦନ ବେହେରା, ମିଶନ ଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ ବସନ୍ତ କୁମାର ମଲ୍ଲିକ, ଜିଲ୍ଲା ସଂଯୋଜକ ଆଶିଷ ରଥ, ଭୁବନେଶ୍ୱରର କୃଷି ଓ ଖାଦ୍ୟ ପ୍ରସ୍ତୁତି ବିଭାଗର ନିର୍ଦ୍ଦେଶକ ଅଂଶୁମାନ ପଟ୍ଟନାୟକ, କୋରାପୁଟ ବ୍ଲକ କୃଷି ଅଧିକାରୀ ତାପସ ଚନ୍ଦ୍ର ରାୟ, ସାତକୋଶିଆ କୋଠଭୂମିର କୃଷକ ଅଜିତ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ଶେଷରେ ଅତିଥିମାନେ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ପ୍ରସ୍ତୁତ ଖାଦ୍ୟ ମେଳା ବୁଲି ଦେଖିବା ସହ ପୁରସ୍କାର ବିତରଣ କରିଥିଲେ। ମିଲେଟ ମିଶନର ପ୍ରକଳ୍ପ ସଂଯୋଜକ ଅମୂଲ୍ୟ ଚୌଧୁରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।