ଅନୁଗୁଳ: ଅନୁଗୁଳ ଜିଲ୍ଲା ସଡ଼କ ସୁରକ୍ଷା କମିଟିର ଏକ ବୈଠକ ଆଜି ଅପରାହ୍ନରେ ଆଞ୍ଚଳିକ ପରିବହନ ଅଧିକାରୀ ନିଖିଳ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ସଡ଼କ ସୁରକ୍ଷା ସପ୍ତାହ ଆସନ୍ତା ଡିସେମ୍ବର ୧ ରୁ ଆରମ୍ଭ ହୋଇ ୭ରେ ସମାପ୍ତ ହେବ।
ଏ ଅବସରରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁରେନ୍ଦ୍ରନାଥ ରାୟଗୁରୁ ଜନ ଜୀବନ ସୁରକ୍ଷା ନିମନ୍ତେ ଦାୟିତ୍ବ ନିର୍ବାହ କରିବାକୁ ପରାମର୍ଶ ଦେଇଥିଲେ। ସଡ଼କ ସୁରକ୍ଷା ନିମନ୍ତେ ଜରପଡା, ବଅଁରପାଳ, ହଣ୍ଡପା, ସଦର ଥାନା ଏବଂ ପାଳଲହଡାର ଭାରପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ଜାତୀୟ ରାଜପଥଗୁଡିକରେ ସତର୍କତା ପୂର୍ବକ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରାଯାଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ସମ୍ବଲପୁର ଜାତୀୟ ରାଜପଥ ପ୍ରାଧିକରଣର ପ୍ରକଳ୍ପ ନିର୍ଦ୍ଦେଶକ, ସଡ଼କ ସୁରକ୍ଷା କମିଟିର ସଦସ୍ୟ ତଥା ସାମ୍ବାଦିକ ସଂଗ୍ରାମ ରଞ୍ଜନ ଦାସ, ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଗଗନ ପରିଜାଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।