ମୁଖ୍ୟ ଖବର

ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ, କମିଲା ଦୁର୍ଘଟଣା ହାର

By Angul TV Bureau

May 30, 2026

ଅନୁଗୁଳ: ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଏମ୍ ଅବଦାଲ ଅଖତାରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ‘ଜିଲ୍ଲା ରାଜପଥ ଟାସ୍କ ଫୋର୍ସ’ ଗଠନ ଓ ଏହାର କାର୍ଯ୍ୟକାରିତା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ପରିବହନ ବିଭାଗର ସୂଚନା ଅନୁଯାୟୀ, ମାର୍ଚ୍ଚ ତୁଳନାରେ ଏପ୍ରିଲ ମାସରେ ଦୁର୍ଘଟଣା ହାର ହ୍ରାସ ପାଇଛି। ଗତ ଅପ୍ରେଲରେ ଜିଲ୍ଲାରେ ମୋଟ ୨୮ଟି ଦୁର୍ଘଟଣାରେ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧ ଜଣ ଆହତ ହୋଇଛନ୍ତି। ଏହି ଅବଧିରେ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିନା ହେଲମେଟ୍ ପାଇଁ ୧୧୨୪, ଓଭରସ୍ପିଡିଂ ପାଇଁ ୧୪୦୧, ମଦ୍ୟପାନ ଯୋଗୁଁ ୨୬ ଏବଂ ଓଭରଲୋଡିଂ ପାଇଁ ୬୫ ଜଣଙ୍କଠାରୁ ଜୋରିମାନା ଆଦାୟ ସହ ୪୭୮ ଜଣଙ୍କ ଲାଇସେନ୍ସ ନିଲମ୍ବିତ କରାଯାଇଛି।

ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ପ୍ରତାପ ପ୍ରୀତିମୟ, ଏଏସପି ବିରଞ୍ଚି ବାଗ, ଅନୁଗୁଳ ଆରଟିଓ ସମ୍ବିତ୍ କୁମାର ଓ ତାଳଚେର ଆରଟିଓ ନିଖିଳ କୁମାର ପଟ୍ଟନାୟକଙ୍କ ସମେତ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।