ମୁଖ୍ୟ ଖବର

ବୃଦ୍ଧଙ୍କ ମୃତ୍ୟୁକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପରିଜନଙ୍କ ଭଙ୍ଗାରୁଜା, ଥାନାରେ ଅଭିଯୋଗ କଲେ ହସ୍ପିଟାଲ କର୍ତ୍ତୃପକ୍ଷ

By Biswaranjan Pattnaik

November 10, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ସନ୍ଧ୍ୟାରେ ଜଣେ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତେଜନା ଅସମ୍ଭାଳ ହେବାରୁ ପୋଲିସ ପହଞ୍ଚି ବୁଝାସୁଝା କରିଥିବା ଜଣାଯାଇଛି। ଅନ୍ୟପଟେ ମୃତକଙ୍କ ସମ୍ପର୍କୀୟ ହସ୍ପିଟାଲରେ ଭଙ୍ଗାରୁଜା କରିଛନ୍ତି ବୋଲି ଚିକିତ୍ସାଳୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି।

ସୂଚନା ମୁତାବକ, ବଅଁରପାଳ ଥାନା ଭୋଗବେରେଣି ଗ୍ରାମର ପୁରେନ୍ଦ୍ର ନାଏକ (୭୦)ଙ୍କୁ ଉଚ୍ଚ ରକ୍ତଚାପ ଏବଂ ଉଚ୍ଚ ମଧୁମେହ ପାଇଁ ଗତ ୮ ତାରିଖ ଦିନ ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଆଜି ଅପରାହ୍ନ ପର୍ଯ୍ୟନ୍ତ ପୁରେନ୍ଦ୍ରଙ୍କ ଅବସ୍ଥା ଠିକ୍ ଠାକ୍ ଥିଲା। କିନ୍ତୁ ଅପରାହ୍ନ ୫.୩୦ ବେଳେ ଅବସ୍ଥା ଗୁରୁତର ହୋଇଥିଲା। ଅପରାହ୍ନ ୫.୪୪ ବେଳେ ପୁରେନ୍ଦ୍ରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ପୁରେନ୍ଦ୍ରଙ୍କ ମୃତ୍ୟୁ ଖବର ପାଇ ଚିକିତ୍ସା ଅଭାବ ଏବଂ ନର୍ସ ଠିକ୍ ଭାବରେ ଚିକିତ୍ସା ନ କରିବାରୁ ମୃତ୍ୟୁ ହୋଇଛି ବୋଲି ତାଙ୍କ ପରିବାର ଅଭିଯୋଗ କରିଥିଲେ। ପରେ ଚିକିତ୍ସାଳୟ ପରିସରରେ ସେମାନେ ଭଙ୍ଗାରୁଜା କରିଥିଲେ। ଏମିତି କି ଡାକ୍ତର, ନର୍ସଙ୍କୁ ବି ଠେଲାପେଲା କରିବାକୁ ପଛାଇ ନ ଥିଲେ। ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିଥିଲା। ପରିବାର ଲୋକ ପୁରେନ୍ଦ୍ରଙ୍କୁ ଅନ୍ୟ ଏକ ଚିକିତ୍ସାଳୟରେ ଦେଖାଇବାକୁ କହି ଆମ୍ବୁଲାନ୍ସରେ ଭର୍ତ୍ତି କରିଥିଲେ। କିନ୍ତୁ ପୋଲିସ ଶବ ବ୍ୟବଚ୍ଛେଦ ପରେ ନେବେ ବୋଲି କହିଥିଲେ।

ମାତ୍ର ରାତି ପାଖାପାଖି ୯.୪୫ରେ ହସ୍ପିଟାଲ ଏଡିଏମଓଙ୍କ ଅନୁମତିକ୍ରମେ ମୃତ ଦେହକୁ ପରିବାର ଲୋକଙ୍କୁ ବିନା ବ୍ୟବଚ୍ଛେଦରେ ହସ୍ତାନ୍ତର କରାଯାଇଛି। ଅନ୍ୟପଟେ ହସ୍ପିଟାଲ ପକ୍ଷରୁ ଦିଆଯାଇଥିବା ମାମଲାର ତଦନ୍ତ କରାଯିବ ବୋଲି ପୋଲିସ କହିଛି।