ମୁଖ୍ୟ ଖବର

ଅନୁଗୁଳ ଜିଲ୍ଲାରେ ମାଟ୍ରିକ ଟପ୍ପର ହୋଇଥିବା ଶ୍ରେଷ୍ଠ ବାଳକ ଓ ବାଳିକାଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ

By Angul TV Bureau

May 29, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲାର ମାଟ୍ରିକ ଟପ୍ପରଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ଜିଲ୍ଲାପାଳ ଅବଦଲ ଏମ. ଅଖତର। ଚଳିତ ବର୍ଷ ଦଶମ ବୋର୍ଡ ପରୀକ୍ଷା ଫଳରେ ଉତ୍କର୍ଷତା ଲାଭ କରିଥିବା ଖମାରର ଉତ୍କଳମଣି ଗୋପବନ୍ଧୁ ଉଚ୍ଚ ବିଦ୍ୟାପୀଠର ରତିକାନ୍ତ ପ୍ରଧାନ ଓ ଶୁଭଦର୍ଶିନୀ ସାହୁଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଶ୍ରେଷ୍ଠ ବାଳକ ଓ ଶ୍ରେଷ୍ଠ ବାଳିକା ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ଜିଲ୍ଲା ଶିକ୍ଷାଧିକାରୀ ସୁସ୍ମିତା ସାହୁ ଉଭୟ କୃତି ଛାତ୍ରଛାତ୍ରୀଙ୍କୁ ଏକାଗ୍ରତା ଓ ନିରନ୍ତର ପ୍ରଚେଷ୍ଟା ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ। ସେହିପରି ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପ୍ରତିଭା ବାରିକ ଓ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଅମ୍ବୁଜ କୁମାର ଗଡନାୟକ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିଥିଲେ।

ଚଳିତ ବର୍ଷ ବାର୍ଷିକ ହାଇସ୍କୁଲ ପରୀକ୍ଷାରେ ଅନୁଗୁଳ ଜିଲ୍ଲାରୁ ମୋଟ ୫୮ ଜଣ ଛାତ୍ରଛାତ୍ରୀ A1 ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୧୨୨ ଟି ବିଦ୍ୟାଳୟରୁ ଶତ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି।

ସୂଚନାଯୋଗ୍ୟ, ଚଳିତ ବର୍ଷ ପ୍ରାରମ୍ଭରୁ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଶୈକ୍ଷିକ ସ୍ତରରେ ଉନ୍ନତି ପାଇଁ ସୁଚିନ୍ତିଆ ଯୋଜନା ପୂର୍ବକ କେତେକ ପଦକ୍ଷେପ ନେଇଥିଲେ। ପ୍ରଥମେ ବେସ୍ ଲାଇନ ପରୀକ୍ଷା କରି ପିଲାଙ୍କର ପ୍ରାରମ୍ଭିକ ଶିକ୍ଷଣ ସ୍ତର ସ୍ଥିର କରାଯାଇଥିଲା। ପରବର୍ତ୍ତୀ ସମୟରେ ମିଡ ଟର୍ମ ପରୀକ୍ଷା କରି ଫଳାଫଳ ସମୀକ୍ଷା କରାଯାଇଥିଲା। ଏକ୍ସ ମାସ ଅବକାଶରେ ଦଶଦିନ ଧରି ବ୍ଲକ ସ୍ତରରେ ଓ ବିଦ୍ୟାଳୟ ସ୍ତରରେ କୋଚିଂ କ୍ୟାମ୍ପର ଆୟୋଜନ କରାଯାଇଥିଲା। ବାର୍ଷିକ ହାଇ ସ୍କୁଲ ପରୀକ୍ଷା ପୂର୍ବରୁ ଏଣ୍ଡ ଟର୍ମ ପରୀକ୍ଷା କରି ପିଲାମାନଙ୍କୁ ବୋର୍ଡ ପରୀକ୍ଷା ପଦ୍ଧତି ସହ ଅବଗତ କରାଯାଇଥିଲା।