ଅନ୍ୟାନ୍ୟ

ସଫେଇ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ

By Biswaranjan Pattnaik

June 19, 2021

ଅନୁଗୁଳ: ସ୍ବଚ୍ଛ ସହରକୁ ମିଳିବ ନିର୍ମଳ ସହର ପୁରସ୍କାର। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ଅନୁଗୁଳ ଜିଲ୍ଲାର ୩ଟି ଯାକ ସହରାଞ୍ଚଳ ଏହି ପୁରସ୍କାର ହାତେଇବାକୁ କମର କଷିଛନ୍ତି । ନିୟମିତ ସଫେଇ କାର୍ଯ୍ୟ ଚାଲୁ ରଖିବା ସହ ଏହାର ଅଗ୍ରଗତି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ସହରାଞ୍ଚଳର ବିଭିନ୍ନ ଛକ, ଦୋକାନ ଘର ଓ ବାସଗୃହ ନିକଟରୁ ନିୟମିତ ଆବର୍ଜନା ସଫା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସଂଗୃହୀତ ଆବର୍ଜନାକୁ ଏଣେତେଣେ ନ ପକାଇ ଏକ ନିର୍ଦ୍ଦିଷ୍ଟ ଜାଗାରେ ଜମା କରି ଏହାକୁ କମ୍ପୋଷ୍ଟ ଭାବେ ବ୍ୟବହାର କରିବାକୁ କୁହାଯାଇଛି। ଏଥିସହିତ ଅନୁଗୁଳ, ତାଳଚେର ଓ ଆଠମଲ୍ଲିକରେ ହେବାକୁ ଥିବା ସ୍ମାର୍ଟ୍ ପାର୍କ କାର୍ଯ୍ୟ ସେପ୍ଟେମ୍ବର ସୁଦ୍ଧା ଶେଷ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଆଠମଲ୍ଲିକରେ ଏକ ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣ କରାଯିବ । ଏଥିପାଇଁ ଆବଶ୍ୟକ ବ୍ୟୟ ଅଟ୍ଟକଳ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ସାହୁ, ଅନୁଗୁଳ ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ, ତାଳଚେର ପୌର ନିର୍ବାହୀ ଅଧିକାରିଣୀ ରଶ୍ମିରେଖା ଅମାନ୍ତ, ଆଠମଲ୍ଲିକ ଏନ୍ଏସିର ନିର୍ବାହୀ ଅଧିକାରିଣୀ କାଦମ୍ବିନୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ।