ମୁଖ୍ୟ ଖବର

ଆସନ୍ତା ୨ ଦିନ ଘନ କୁହୁଡ଼ି

By Biswaranjan Pattnaik

January 02, 2023

ଭୁବନେଶ୍ୱର: ଆସନ୍ତା ୪-୫ ଦିନ ଯାଏ ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ବଢ଼ିଯିବ। ସାମୁଦ୍ରିକ ବାୟୁ ପ୍ରଭାବରେ ରାଜ୍ୟରେ ଏହି ରାତି ତାପମାତ୍ରା ବୃଦ୍ଧି ପାଇଛି। ଫଳରେ ରାଜ୍ୟରେ ଶୀତର ବିଶେଷ ପ୍ରଭାବ ରହିବନି। କିନ୍ତୁ ଘନ କୁହୁଡ଼ି ପଡ଼ିବ। ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ ଦେଇଛି।

ପାଣିପାଗ ବିଭାଗର ଆକଳନ ଅନୁସାରେ, ଏବେ ଅଧିକାଂଶ ସ୍ଥାନର ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି । ଆଗାମୀ ୪ରୁ ୫ ଦିନ ଯାଏ ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରୀ ଅଧିକ ରହିବ । ପୁଣି ଘନ କୁହୁଡ଼ି ସମ୍ଭାବନା ଥିବା ନେଇ ବିଭାଗ ପୂର୍ବାନୁମାନ କରିଛି । ସାମୁଦ୍ରିକ ବାୟୁ ପ୍ରଭାବରେ ବାୟୁମଣ୍ଡଳରେ ଜଳୀୟବାଷ୍ପ ପରିମାଣ ବଢ଼ିଛି । ଗୁରୁଚାପ ବଳୟ ସକ୍ରିୟ ଥିବାରୁ ବାୟୁମଣ୍ଡଳରେ ସ୍ଥିରତା ବଢିଛି । ରାତିରେ ଆକାଶ ନିର୍ମଳ ରହୁଥିବାରୁ ଦୁଇ ଦିନ ରାଜ୍ୟର କିଛି ଅଞ୍ଚଳରେ ଘନ କୁହୁଡିର ସମ୍ଭାବନା ଅଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ଏଥିସହ ରବିବାର ଭଳି ଆଜି(ସୋମବାର) ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, କଟକ, ନୟାଗଡ଼, କନ୍ଧମାଳ, ଗଜପତି, ଗଞ୍ଜାମ, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ଘନ କୁହୁଡ଼ି ଦେଖାଯାଇଛି। ଏଣୁ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ୧୦ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୩ ତାରିଖ ଦିନ ମଧ୍ୟ ଅନୁଗୁଳ, ଢେଙ୍କାନାଳ, କଟକ, କନ୍ଧମାଳ, ଗଞ୍ଜାମ, କଳାହାଣ୍ଡି, ବୌଦ୍ଧ ଓ ସୋନପୁର ଜିଲ୍ଲାରେ ଘନ କୁହୁଡ଼ି ପଡ଼ିପାରେ ବୋଲି ସୂଚନା ମିଳିଛି।