ଅନ୍ୟାନ୍ୟ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଶା କର୍ମୀଙ୍କୁ ତାଲା ପକାଇଲେ ଡାକ୍ତର, ସିଡିଏମଓଙ୍କୁ ଗୁହାରୀ କଲେ ମହିଳା

By Angul TV Bureau

May 28, 2022

ଅନୁଗୁଳ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଶା କର୍ମୀଙ୍କୁ ଦୁର୍ବ୍ୟବହାର। କେହି ବାହାର ଲୋକ ନୁହେଁ ବରଂ ଖୋଦ୍ ଡାକ୍ତରଙ୍କ ନାଁ ରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ। ରୋଗୀକୁ ଚିକିତ୍ସା ପାଇଁ ହସ୍ପିଟାଲକୁ ଆଣିଥିବା ଜଣେ ଆଶା କର୍ମୀଙ୍କୁ ରୁମରେ ତାଲା ପକାଇ ଦେଇ ଡାକ୍ତର ଦୁର୍ବ୍ୟବହାର କରିଥିବା ନେଇ ସେ ଅଭିଯୋଗ କରିଛନ୍ତି।

ଅଭିଯୋଗ ମୁତାବକ, ସ୍ଥାନୀୟ ତାଳଚେର ବ୍ଲକ୍ ତେଣ୍ଟୁଲେଇ ଗାଁର ଆଶାକର୍ମୀ ତାଙ୍କର ଜଣେ ରୋଗୀକୁ ଶୁକ୍ରବାର ଚେକ୍ ଅପ୍ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। କିନ୍ତୁ ଗାଇନିଙ୍ଗ ବିଭାଗରେ ଥିବା ଡାକ୍ତର ତାଙ୍କୁ ଲେବର ରୁମକୁ ଚେକ୍ ଅପ୍ ପାଇଁ ପଠେଇଥିଲେ। ଲେବର ରୁମରେ ଥିବା ଷ୍ଟାଫ୍ ଓପିଡି କରିକି ଆସିବାକୁ କହିଥିଲେ। କିନ୍ତୁ ଓପିଡିର ହେଲ୍ପ ଡେସ୍କରେ ଥିବା ଜଣେ କର୍ମଚାରୀ ଟିକେଟ କିଛି ଦରକାର ନାହିଁ ଓ ବିନା ଟିକେଟରେ ହିଁ ଡାକ୍ତର ଦେଖିବେ ବୋଲି ଆଶା କର୍ମୀଙ୍କୁ କହି ଫେରେଇ ଦେଇଥିଲେ। ତା ପରେ ଆଶା କର୍ମୀ ରୋଗୀକୁ ଧରି ଡାକ୍ତରାଣୀଙ୍କ ପାଖକୁ ଯିବାରୁ ତାଙ୍କ ଆଟେଣ୍ଡାଣ୍ଟ, ଡାକ୍ତର ଓ ହେଲ୍ପ ଡେସ୍କରେ ଥିବା କର୍ମଚାରୀ ଡକ୍ଟର ରୁମରେ ତାଲା ପକେଇ ଦେଇ ଦୁର୍ବ୍ୟବହାର କରିଥିଲେ। ସେଠାରୁ ବାହାରକୁ ଆସିବା ପରେ ଏ ନେଇ ସେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ଆଶା କର୍ମୀଙ୍କ କହିବାନୁସାରେ, ଯଦି ତାଙ୍କୁ ମେଡିକାଲ ଭିତରେ କର୍ମଚାରୀମାନେ ଏମିତି ଦୁର୍ବ୍ୟବହାର କରୁଛନ୍ତି ତେବେ ବାହାରୁ ଆସୁଥିବା ରୋଗୀଙ୍କୁ କେମିତି ବ୍ୟବହାର କରାଯାଉ ନଥିବ। ଏନେଇ ଡାକ୍ତର ଏବଂ ମେଡିକାଲ କର୍ମଚାରୀଙ୍କ ବିରୋଧରେ ସିଡିଏମଓ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।