ମୁଖ୍ୟ ଖବର

ଓଡ଼ିଶାରେ ଡାକ୍ତର ଅଭାବ: ପ୍ରତି ୧୨୬୫ ଜଣ ଲୋକଙ୍କ ପାଇଁ ମାତ୍ର ଜଣେ ଡାକ୍ତର

By Angul TV Bureau

March 09, 2026

ଓଡ଼ିଶାରେ ଡାକ୍ତରଙ୍କ ଅଭାବ ଏବେ ଏକ ଗୁରୁତର ଚିନ୍ତାର ବିଷୟ ପାଲଟିଛି। ରାଜ୍ୟରେ ପ୍ରତି ୧୨୬୫ ଜଣ ଲୋକଙ୍କ ପାଇଁ ମାତ୍ର ଜଣେ ଡାକ୍ତର ଅଛନ୍ତି। ରାଜ୍ୟରେ ମୋଟ ୧୫,୭୯୩ଟି ଡାକ୍ତର ପଦବୀ ମଞ୍ଜୁର ହୋଇଥିବା ବେଳେ ସେଥିରୁ ୪,୬୦୭ଟି ପଦବୀ ଖାଲି ପଡ଼ିଛି। ଏହା ବ୍ୟତୀତ ପ୍ରାୟ ୧,୪୫୯ ଜଣ ଡାକ୍ତର ଉଚ୍ଚ ଶିକ୍ଷା ପାଇଁ ଯାଇଥିବାରୁ ଚିକିତ୍ସାଳୟଗୁଡ଼ିକରେ କାର୍ଯ୍ୟଭାର ବଢୁଛି ବୋଲି ବିଧାନସଭାରେ ବିଧାୟକ ପବିତ୍ର ସାଉଁତାଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ନିୟମ ଅନୁଯାୟୀ, ପ୍ରତି ୧୦୦୦ ଜଣ ଜନସଂଖ୍ୟାରେ ଜଣେ ଡାକ୍ତର ରହିବା ଜରୁରୀ। କିନ୍ତୁ ଓଡ଼ିଶାରେ ଏହାର ଅଭାବ ବହୁ ମାତ୍ରାରେ ପରିଲିକ୍ଷିତ ହୋଇଛି। ଡାକ୍ତରଙ୍କ ଏହି ବଡ଼ ଧରଣର ଅଭାବ ବିଶେଷ କରି ଗ୍ରାମାଞ୍ଚଳର ପ୍ରାଥମିକ ସ୍ୱାସ୍ଥ୍ୟସେବାକୁ ପ୍ରଭାବିତ କରୁଛି।

ସୂଚନା ଅନୁସାରେ, ରାଜ୍ୟରେ ମୋଟ ୧୧,୧୮୬ଟି ଡାକ୍ତର ପଦବୀ ରହିଛି। ସେଥିରୁ ୮,୦୧୧ଟି ପଦବୀରେ ଡାକ୍ତର କାର୍ଯ୍ୟରତ ଥିବା ବେଳେ ୩,୧୭୫ଟି ପଦବୀ ଖାଲି ପଡ଼ିଛି। ସେହିପରି ସ୍ପେସିଆଲିଟି ପଦବୀ ସଂଖ୍ୟା ୧,୨୦୧ ରହିଥିବା ବେଳେ ସେଥିରୁ ୫୧୧ଟି ପଦବୀ ଖାଲି ରହିଛି। ଏହା ସହିତ ସୁପର ସ୍ପେସିଆଲିଟି ପଦବୀ ସଂଖ୍ୟା ୩,୪୦୬ ରହିଥିବା ବେଳେ ସେଥିରୁ ୯୨୧ଟି ପଦବୀ ଖାଲି ରହିଛି।