ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିକଟରେ ଆରମ୍ଭ କରାଯାଇଥିବା ଉପରବେଳା ଓପିଡ଼ିକୁ ନେଇ ଅନେକ ଡାକ୍ତର ଖୁସି ନାହାନ୍ତି। ସକାଳ ବେଳା ବିଶେଷଜ୍ଞ ଡାକ୍ତର ମାନେ ୱାର୍ଡ ରାଉଣ୍ଡ ଅପ ସାରି ଓପିଡ଼ିରେ ପହଁଚିଲା ବେଳକୁ ସାଢ଼େ ଦଶଟା ହୋଇଥାଏ। ଜିଲ୍ଲାର ଆଠମଲ୍ଲିକ,କିଶୋରନଗର ଅଂଚଳରୁ ଆସୁଥିବା ରୋଗୀମାନେ ବସରେ ଆସି ଓପିଡ଼ିରେ ବିଶେଷଜ୍ଞ ଡାକ୍ତରଙ୍କୁ ଦେଖାଇବାର ସୁଯୋଗ ପାଉନଥିଲେ। ଏଥିନେଇ ବହୁ ଅଭିଯୋଗ ହେବା ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସହକାରୀ ସ୍ୱାସ୍ଥ୍ୟ ସଚିବ ଉପରବେଳା ଓପିଡ଼ି ଖୋଲିବାକୁ ନିର୍ଦେଶ ଦେଇଥିଲେ। ତଦନୁଯାୟୀ ଅନୁଗୁଳ ମେଡିକାଲ ସୁପରିନଟେଣ୍ଡେଣ୍ଟ ଉପରବେଳା ୪ଟା ରୁ ୬ଟା ଯାଏ ସ୍ପେଶାଲ ଓପିଡ଼ି ଖୋଲିବାକୁ ନିର୍ଦେଶ ଦେଇଛନ୍ତି। କ୍ଲିନିକ ବେପାର ମାନ୍ଦା ପଡିଯିବା ଭୟରେ କିଛି ଡାକ୍ତର ଫନ୍ଦି ଫିକର କରି ହେଲ୍ପ ଡେସ୍କ କର୍ମଚାରୀଙ୍କୁ ହାତ କରି ଏଇଠି ଆସୁଚି କହି ପଳାଉଛନ୍ତି। ଏ ନେଇ ମେଡ଼ିକଲ ସୁପରିନଟେଣ୍ଡେଣ୍ଟ ଏମ୍ଆର ବିଶ୍ୱାଳଙ୍କୁ ଯୋଗା ଯୋଗ କରିବାରୁ ଯେଉଁ ଡାକ୍ତରମାନେ କାର୍ଯ୍ୟରେ ଖିଲାପି କରିବେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।