ଅନ୍ୟାନ୍ୟ

ଜିଲ୍ଲାସ୍ତରୀୟ ଡଃ ବି ଆର୍ ଆମ୍ବେଦକରଙ୍କ ଜୟନ୍ତୀ

By Angul TV Bureau

April 14, 2023

ଅନୁଗୁଳ:ଅନୁଗୁଳ ଜିଲ୍ଲା ବଅଁରପାଳ ସେବାଶ୍ରମଠାରେ ଶୁକ୍ରବାର ଭାରତୀୟ ସମ୍ବିଧାନ ପ୍ରଣେତା ବାବା ସାହେବ ଡଃ ବି ଆର୍ ଆମ୍ବେଦକରଙ୍କ ୧୩୨ତମ ଜିଲ୍ଲା ସ୍ତରୀୟ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ ଜିଲ୍ଲା ମଙ୍ଗଳ ଅଧିକାରୀ ସୁବାଷ ଚନ୍ଦ୍ର ସାହୁ ଯୋଗ ଦେଇ ଉପସ୍ଥିତ ଛାତ୍ରୀମାନଙ୍କୁ ବାବା ସାହେବ ଆମ୍ବେଦକରଙ୍କ ମହାନ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ବାନକରିଥିଲେ। ମୁଖ୍ୟବକ୍ତା ଭାବରେ ସେବାଶ୍ରମର ବରିଷ୍ଠ କର୍ମକର୍ତ୍ତା ଲଳିତ ମୋହନ ବେହେରା ଉପଯୁକ୍ତ ଜ୍ଞାନ ଓ ବିଦ୍ୟା ଅର୍ଜନ କରି କଠିନ ପରିଶ୍ରମ ଓ ନିଜର ଅଧ୍ୟବସାୟ ବଳରେ ନିଷ୍ଠାର ସହିତ କର୍ତ୍ତବ୍ୟ କରିବାକୁ ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କୈଳାଶ ଚନ୍ଦ୍ର ବେହେରା ସ୍ବାଗତ ଜଣାଇ ଆମେଦକରଙ୍କ ଦୁଃଖ ଭରା ବାଲ୍ୟ ଜୀବନ ଠାରୁ ଭାରତ ରତ୍ନ ବାବାସାହେବ ଡଃ ଭୀମ ରାଓ ରାମଜୀଆମ୍ବେଦକର ହେବା ପର୍ଯ୍ୟନ୍ତ ଘଟଣା ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ସେବାଶ୍ରମର ପ୍ରଧାନ ଶିକ୍ଷୟତ୍ରୀ ପୂର୍ଣ୍ଣିମା ପାତ୍ର ସମସ୍ତ ଛାତ୍ରୀମାନଙ୍କୁ ଭଲ ପାଠ ପଢି ଉଚ୍ଚଶିକ୍ଷିତା ହେବାସହ ପରିବାରର ସୁନାମ ଆଣିବା ପାଇଁ ସମସ୍ତେ ଡଃ. ଆମ୍ବେଦକରଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସେବାଶ୍ରମର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ସହକାରୀ କର୍ମଚାରୀଙ୍କ ସହ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ। ସହକାରୀ ଶିକ୍ଷକ ନରୋତ୍ତମ ବେହେରା ଧନ୍ୟବାଦ ଅର୍ପଣକରିଥିଲେ।