ଅନୁଗୁଳ: ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଆଜି ଏକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ କ୍ରମେ ଡ଼ା ଗୌରୀ ଶଙ୍କର ବଳଙ୍କ ସ୍ଥାନରେ ଡ଼ା ମଦନ ମୋହନ ପ୍ରଧାନଙ୍କୁ ଅନୁଗୁଳ ସିଡିଏମଓ ଭାବେ ନିଯୁକ୍ତି ଦେଇଛନ୍ତି।ତାଳଚେର ଏଫ୍ସିଆଇ ଅଞ୍ଚଳରେ ଡେଙ୍ଗୁର ପ୍ରାଦୁର୍ଭାବ ଦେଖା ଦେଇଥିବା ବେଳେ ଡ଼ା ପ୍ରଧାନଙ୍କୁ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗର ମୁଖ୍ୟ ଭାବେ ଅବସ୍ଥାପିତ କରାଯାଇଛି।
ଡ଼ା ମଦନ ମୋହନ ପ୍ରଧାନ ‘ଦମନ’ ମଣିଷ ଭାବେ ଜଣାଶୁଣା।୨୦୧୭ ମସିହାରେ ଦକ୍ଷିଣ ଓଡ଼ିଶା ସମେତ ଅନେକ ଜିଲ୍ଲାରେ ମ୍ୟାଲେରିଆର ପ୍ରକୋପ ବ୍ୟାପି ଥିବା ବେଳେ ଏନ୍ଭିଡିସିପି, ଭୁବନେଶ୍ୱର ଳରେ କାର୍ଯ୍ୟରତ ଡ଼ା ପ୍ରଧାନ ଏବଂ ଅନ୍ୟ କେତେଜଣ ମିଶି ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ଯୋଜନାକୁ କାର୍ଯ୍ୟକାରୀ କରିବାର ଖସଡ଼ା ପ୍ରସ୍ତୁତ କରିଥିଲେ। ଏହି ଯୋଜନା କାର୍ଯ୍ୟକାରୀ ଦ୍ଵାରା ରାଜ୍ୟରେ ମ୍ୟାଲେରିଆ ସମ୍ପୂର୍ଣ୍ଣ ନିୟନ୍ତ୍ରିତ ହୋଇଥିଲା। ଡ଼ା ପ୍ରଧାନଙ୍କୁ ଏଥିପାଇଁ ଜାତିସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଡ଼ା ପ୍ରଧାନ ତାଳଚେର ମାଟିର ସନ୍ତାନ।ତେଣୁ ମେଡିକାଲ କଲେଜର ଉନ୍ନତି ସହ ଜିଲ୍ଲା ଚିକିତ୍ସାଳୟର ସମସ୍ୟା ସମାଧାନ କରିବାରେ ସେ ଯଥେଷ୍ଟ ଧ୍ୟାନ ଦେବେ ବୋଲି ଆଶା କରାଯାଉଛି। ଏଥିସହିତ ଡ଼ା ବଳଙ୍କୁ ଭୁବନେଶ୍ୱର ଜନସ୍ବାସ୍ଥ୍ୟ ବିଭାଗକୁ ସ୍ଥାନାନ୍ତର କରାଯାଇଛି।