ଅନ୍ୟାନ୍ୟ

ଡଃ ନିମାଇଁ ଚରଣ ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ, ଶତାଧିକ ବ୍ୟକ୍ତିବିଶେଷଙ୍କ ଶ୍ରଦ୍ଧାଞ୍ଜଳି

By Angul TV Bureau

October 25, 2025

ତାଳଚେର: ତାଳଚେରର ଅଗ୍ରଣୀ ସାମାଜିକ-ସାଂସ୍କୃତିକ ଅନୁଷ୍ଠାନ “ଆମ ପ୍ରତିଭା ଆମ ପରିଚୟ” ଏବଂ ଦୈନିକ ଖବରକାଗଜ “ଆଗେଇବା” ପକ୍ଷରୁ ଅବସରପ୍ରାପ୍ତ ଅଧ୍ୟାପକ ତଥା ‘ଆମ ପ୍ରତିଭା ଆମ ପରିଚୟ’ର ପୂର୍ବତନ ଆଜୀବନ ସାଧାରଣ ସମ୍ପାଦକ ସ୍ୱର୍ଗତ ଡଃ ନିମାଇଁ ଚରଣ ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳନ କରାଯାଇଛି । ଏହି ଉପଲକ୍ଷେ ସ୍ଥାନୀୟ ଦେଉଳ ବେଡ଼ା ଶିବ ମନ୍ଦିର ପ୍ରାଙ୍ଗଣରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ।

ଅବସରପ୍ରାପ୍ତ ଅଧ୍ୟାପକ ଡଃ ଉପେନ୍ଦ୍ର ପରିଡ଼ା ସଭାରେ ସଭାପତିତ୍ୱ କରିଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ପ୍ରଧାନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଉପସ୍ଥିତ ଶତାଧିକ ବ୍ୟକ୍ତିବିଶେଷ ଡଃ ପ୍ରଧାନଙ୍କୁ ଜଣେ ସ୍ନେହୀ, ଭଦ୍ର, ନିର୍ଭୀକ, କର୍ତ୍ତବ୍ୟପରାୟଣ, ମିଷ୍ଠଭାଷୀ, ଦୟାଳୁ, ପରୋପକାରୀ ଏବଂ ଦୃଢ଼ ସଂଗଠକ ଭାବରେ ସ୍ମୃତିଚାରଣ କରିଥିଲେ ।

ସ୍ୱର୍ଗତ ଡଃ ପ୍ରଧାନଙ୍କ ଉତ୍ତମ ବନ୍ଧୁ ତଥା ପୂର୍ବତନ ସାଂସଦ ଓ ‘ଆଗେଇବା’ର ସମ୍ପାଦକ ମହେଶ ସାହୁ ଏହି ସଭାରେ ଯୋଗ ଦେଇ ଅଭୁଲା ସ୍ମୃତିକୁ ମନେ ପକାଇଥିଲେ । ସାହୁ ପ୍ରକାଶ କରିଥିଲେ ଯେ ସ୍ୱର୍ଗତ ପ୍ରଧାନ ତାଙ୍କ ଦ୍ୱାରା ପ୍ରତିଷ୍ଠା ଲାଭ କରିଥିବା ଅନୁଷ୍ଠାନ ସଂଗଠନକୁ ସୁଚାରୁ ରୂପେ ନିର୍ବାହ କରିବାରେ ସିଦ୍ଧହସ୍ତ ଥିଲେ ।

ଏହି ଶ୍ରଦ୍ଧାଞ୍ଜଳି ସଭାରେ ଡଃ ପ୍ରଧାନଙ୍କ ପରିବାର ସଦସ୍ୟଙ୍କ ସମେତ ତାଳଚେର କଲେଜର ଅଧ୍ୟକ୍ଷ ସୁବ୍ରତ କୁମାର ଦାଶ, ବିଜେପି ଜିଲ୍ଲା ସଭାପତି ଯଯାତି କେଶରୀ ପଟ୍ଟନାୟକ, ଅନୁଗୋଳ ସମବାୟ ବ୍ୟାଙ୍କ ସଭାପତି ସନ୍ତୋଷ କୁମାର ପ୍ରଧାନ, ପୂର୍ବତନ ଅଧ୍ୟକ୍ଷ ଅଶୋକ ଶର୍ମା, ପିଏସ୍‌ଇୟୁ ସଭାପତି ଦେବୀ ମିଶ୍ର ଏବଂ ବହୁ ବୁଦ୍ଧିଜୀବୀ, ଅଧ୍ୟାପକ, ଅଧ୍ୟାପିକା ଓ ଅନୁଷ୍ଠାନର ସଦସ୍ୟମାନେ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

ଅନୁଷ୍ଠାନର ସାଧାରଣ ସମ୍ପାଦକ ଇଂ ରମେଶ ଚନ୍ଦ୍ର ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ ‘ଆଗେଇବା’ର ବାର୍ତ୍ତା ସମ୍ପାଦକ ତପନ କୁମାର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।