ଅନ୍ୟାନ୍ୟ

ଖମାରରେ ପାଳିତ ହେଲା ଡ଼ଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜନ୍ମ ଜୟନ୍ତୀ: ବିଧାୟକ ଅଶୋକ ମହାନ୍ତିଙ୍କ ଉପସ୍ଥିତିରେ ପ୍ରଶିକ୍ଷଣ ଶିବିର

By Angul TV Bureau

July 07, 2026

ଅନୁଗୋଳ: ଭାରତୀୟ ଜନସଂଘର ପ୍ରତିଷ୍ଠାତା ଡ଼ଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜନ୍ମ ଜୟନ୍ତୀ ସୋମବାର ପାଲଲହଡ଼ା ବ୍ଲକ ଅନ୍ତର୍ଗତ ଖମାର ପଞ୍ଚାୟତ ଓଡ଼ଶ ଠାରେ ଶ୍ରଦ୍ଧା ଓ ଉତ୍ସାହର ସହ ପାଳନ କରାଯାଇଛି। ଭାରତୀୟ ଜନତା ପାର୍ଟି ଖମାର ମଣ୍ଡଳ ଓ ପବିତ୍ରନଗର ମଣ୍ଡଳ ପକ୍ଷରୁ ଏକ ମିଳିତ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା।

କାର୍ଯ୍ୟକ୍ରମ ଆରମ୍ଭରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିବା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି ଡ଼ଃ ମୁଖାର୍ଜୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେ ନିଜ ଅଭିଭାଷଣରେ ଡ଼ଃ ମୁଖାର୍ଜୀଙ୍କ ଦେଶପ୍ରେମ, ଶିକ୍ଷାବିତ୍ ଭାବେ ଅବଦାନ ଏବଂ ରାଷ୍ଟ୍ରବାଦୀ ଚିନ୍ତାଧାରା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରେ ଦଳର ସାଙ୍ଗଠନିକ ସୁଦୃଢ଼ୀକରଣ, ବୁଥ ସ୍ତରରେ କାର୍ଯ୍ୟକର୍ତ୍ତାଙ୍କ ଦକ୍ଷତା ବୃଦ୍ଧି ଏବଂ ସରକାରଙ୍କ ଜନକଲ୍ୟାଣମୂଳକ ଯୋଜନାକୁ ଘରେ ଘରେ ପହଞ୍ଚାଇବା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।

ବିଧାୟକ ଶ୍ରୀ ମହାନ୍ତି କହିଥିଲେ ଯେ, କୌଣସି ରାଜନୈତିକ ସଂଗଠନର ପ୍ରକୃତ ଶକ୍ତି ବୁଥ ସ୍ତର କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ନିହିତ। ପ୍ରତ୍ୟେକ କାର୍ଯ୍ୟକର୍ତ୍ତା ଲୋକଙ୍କ ସମସ୍ୟା ବୁଝିବା ସହ ଯୋଜନାର ସୁଫଳ ପ୍ରତ୍ୟେକ ପରିବାର ପାଖରେ ପହଞ୍ଚାଇବା ଉଚିତ। ତୃଣମୂଳ ସ୍ତରରୁ ସଂଗଠନକୁ ସୁଦୃଢ଼ କରିବା ହିଁ ଆଗାମୀ ଦିନର ସଫଳତାର ମୂଳ ଆଧାର ବୋଲି ସେ ମତ ଦେଇଥିଲେ। ସେ ଆହୁରି କହିଥିଲେ ଯେ, ଦ୍ୱିତୀୟ ପର୍ଯ୍ୟାୟରେ ସମାପ୍ତ ହୋଇଥିବା SIR ପ୍ରକ୍ରିୟା ପରେ ପ୍ରକାଶିତ ସଂଶୋଧିତ ଭୋଟର ତାଲିକାକୁ ପ୍ରତ୍ୟେକ ବୁଥରେ ଗୁରୁତ୍ୱର ସହ ଯାଞ୍ଚ କରିବାକୁ ହେବ। ଜଣେ ହେଲେ ମଧ୍ୟ ଯୋଗ୍ୟ ଭୋଟର ବାଦ ନ ପଡ଼ନ୍ତି ସେଥିପାଇଁ ସମସ୍ତ କାର୍ଯ୍ୟକର୍ତ୍ତା ସତର୍କ ରହିବାକୁ ସେ ଆହ୍ୱାନ ଦେଇଥିଲେ।

ଏହି ଶିବିରରେ ବିଜେପି ଜିଲ୍ଲା ସମ୍ପାଦକ ପ୍ରହ୍ଲାଦ ସାମଲ, ରେଙ୍ଗାଳି ମଣ୍ଡଳ ପ୍ରଭାରୀ ଗୌରଚନ୍ଦ୍ର ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସରୋଜ ସାହୁ, ପବିତ୍ରନଗର ମଣ୍ଡଳ ସଭାପତି ମନୋଜ କୁମାର ବିଶ୍ୱାଳ, ଖମାର ମଣ୍ଡଳ ସଭାପତି କାର୍ତ୍ତିକ ହୃଦୟ ଚନ୍ଦନ ପ୍ରଧାନଙ୍କ ସମେତ ଉଭୟ ମଣ୍ଡଳର ଶକ୍ତିକେନ୍ଦ୍ର ପ୍ରମୁଖ, ବୁଥ ସଭାପତି ଓ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।