ଅନ୍ୟାନ୍ୟ

ତୁଟିବ ଘଣ୍ଟପଡ଼ା ପଞ୍ଚାୟତରେ ପାନୀୟ ଜଳ ଯୋଗାଣ ସମସ୍ୟା, ପାଣି ପମ୍ପ ସଜାଡ଼ିବାକୁ ଲିଖିତ ପ୍ରତିଶ୍ରୁତି ଦେଲେ ଏମସିଏଲ କର୍ତ୍ତୃପକ୍ଷ

By Angul TV Bureau

March 18, 2023

ତାଳଚେର: ତାଳଚେର ବ୍ଲକ ଘଣ୍ଟପଡ଼ା ପଞ୍ଚାୟତରେ ପାନୀୟ ଜଳ ଯୋଗାଣ ସମସ୍ୟା ନେଇ ବୁଧବାର ଅପରାହ୍ନରେ ଏକ ବୈଠକ ସ୍ଥାନୀୟ ଜିଏମ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ସୂଚନାଯୋଗ୍ୟ ଯେ ଗତ କିଛି ଦିନ ଧରି ଘଣ୍ଟପଡ଼ା ଅଞ୍ଚଳକୁ ପାନୀୟ ଜଳ ଯୋଗାଣରେ ଅନିୟମିତତା ଦେଖାଦେଇଛି। ଲୋକେ ପାନୀୟ ଜଳ ପାଇଁ ଡହଳ ବିକଳ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଘଣ୍ଟପଡ଼ା ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ଓ ଗ୍ରାମବାସୀଙ୍କ ସହ ଖଣି କର୍ତ୍ତୃପକ୍ଷଙ୍କ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ହାଣ୍ଡିଧୁଆ କୋଲିୟରୀରେ ଥିବା ପାଣି ପମ୍ପ ଖରାପ ହେବା କାରଣରୁ ଏହି ସମସ୍ୟା ଉପୁଜିଥିବା ଉପସ୍ଥିତ ଏମସିଏଲ କର୍ତ୍ତୃପକ୍ଷ ପ୍ରକାଶ କରିଥିଲେ। ବୈଠକରେ ଉପସ୍ଥିତ ଜନ ପ୍ରତିନିଧିମାନେ ଶୀଘ୍ର ପାନୀୟ ଜଳ ଯୋଗାଣକୁ ସ୍ୱାଭାବିକ କରିବାକୁ ଦାବି କରିଥିଲେ। ତୁରନ୍ତ ଖରାପ ପାଣି ପମ୍ପକୁ ମରାମତି କରାଯାଇ ଜଳ ଯୋଗାଣକୁ ନିୟମିତ କରିବାକୁ ଏମସିଏଲ କର୍ତ୍ତୃପକ୍ଷ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ସେତେବେଳ ଯାଏଁ ଏହି ଅଞ୍ଚଳକୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦେବାକୁ ଖଣି କର୍ତ୍ତୃପକ୍ଷ ସମ୍ମତି ପ୍ରକାଶ କରିଥିଲେ। ବୈଠକରେ ଘଣ୍ଟପଡା ସରପଞ୍ଚ ସସ୍ମିତା ବିଶ୍ଵାଳ, ସମିତି ସଭ୍ୟ କରୁଣାକର ସାହୁ, ପୂର୍ବତନ ସରପଞ୍ଚ ସୁନୀଲ ବିଶ୍ଵାଳ, ସମାଜସେବୀ ବିଭୂତି ସାହୁ, ନାଏବ ସରପଞ୍ଚ ରାଜୀବ ଦାସ, ରାକେଶ ପଟ୍ଟନାୟକ, ଦିଲ୍ଲୀପ ସାହୁ, ହେମନ୍ତ ସାହୁ, ତାଳଚେର ଜିଏମ ମୁରାରୀ ମିଶ୍ର, ଡେରା ପ୍ରକଳ୍ପ ଅଧିକାରୀ ଦାଶରଥି ସାହୁ, ତାଳଚେର ଏରିଆ ଆଶିଷ ଭଟ୍ଟନାଗର, ଆରଡବ୍ଲ୍ୟୁଏସଏସ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।