ଅନୁଗୁଳ: ପାଲଲହଡ଼ା ଥାନା ପବିତ୍ରପୁର ପଞ୍ଚାୟତରେ ‘ମୋ ବସ୍’ କୁ ଅଟକାଇ ଡ୍ରାଇଭର ଓ ମହିଳା କଣ୍ଡକ୍ଟରଙ୍କୁ ମାଡ଼ ମାରିବା ସହ ଗାଡ଼ି ଭଙ୍ଗାରୁଜା ହୋଇଛି। ଏହି ଘଟଣାରେ ମଙ୍ଗଳବାର ସନ୍ଧ୍ୟାରେ ପାଲଲହଡ଼ା ଥାନାରେ ଏକ ଅଭିଯୋଗ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ପାଲଲହଡ଼ା ସଦର ମହକୁମାରୁ ପବିତ୍ରପୁର ପଞ୍ଚାୟତକୁ ବସ୍ ଯାତ୍ରୀ ନେଇ ଯାଉଥିବା ବେଳେ ପବିତ୍ରପୁର ଶିବଗ୍ରାମପୁର ନିକଟରେ ଦୁଇଟି ବାଇକରେ ୬ ଜଣ ଯୁବକ ବସକୁ ଅଟକାଇ ଅତର୍କିତ ଭାବେ ଡ୍ରାଇଭରଙ୍କ ଉପରେ ଆକ୍ରମଣ କରିଥିଲେ। ଏହାକୁ ମହିଳା କଣ୍ଡକ୍ଟର ବିରୋଧ କରିବାରୁ ତାଙ୍କୁ ମଧ୍ୟ ମାଡ଼ ମରାଯାଇଥିଲା। ଏଥିସହ ଗାଡ଼ିରେ ଥିବା ଅନ୍ୟ ଯାତ୍ରୀମାନଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରି ବସ୍ ଟିକୁ ଭଙ୍ଗାରୁଜା କରାଯାଇଥିଲା।
ଘଟଣା ସମୟରେ ବସ୍ ଡ୍ରାଇଭର ବସନ୍ତ କୁମାର ବିଶ୍ୱାଳ ୧୧୨କୁ ଫୋନ୍ କରି ଜଣାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ସମସ୍ତ ଯୁବକ ଫେରାର ହୋଇଯାଇଥିଲେ। ପରେ ଡ୍ରାଇଭର ଓ କଣ୍ଡକ୍ଟର ଅନିଲ ନାଏକ, ମନୋଜ ସାହୁ, କାଳିଆ ସାହୁ, ଦୀନବନ୍ଧୁ ନାଏକ, ଜିତୁ ନାଏକ ଓ ବାଦଲ ନାଏକଙ୍କ ବିରୋଧରେ ପାଲଲହଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଥିବା ଥାନା ଅଧିକାରୀ ପ୍ରଦୀପ ମହାନ୍ତ ସୂଚନା ଦେଇଛନ୍ତି।