ଛେଣ୍ଡିପଦା: ଓଡ଼ିଶା ରାଜ୍ୟ ଡ୍ରାଇଭର ମହାସଂଘ ଆହ୍ୱାନ କ୍ରମେ ବୁଧବାର ସ୍ଥାନୀୟ ଛେଣ୍ଡିପଦା ବ୍ଲକ ଦୁର୍ଗାପୁର ପଞ୍ଚାୟତ ଡ୍ରାଇଭର ମହାସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଆନ୍ଦୋଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଦୁର୍ଗାପୁର ଟାଙ୍ଗିରୀ ସାହି ଦାନ୍ତିଆଣୀ ପାହାଡ଼ରେ ଅନୁଷ୍ଠିତ ହୋଇଛି। ମହାସଂଘ ବରିଷ୍ଠ ସଦସ୍ୟ ସୁବର୍ଣ୍ଣ ପରିଡ଼ାଙ୍କ ସଭାପତିତ୍ବରେ ଆୟୋଜିତ ବୈଠକରେ ଡ୍ରାଇଭର ମହାସଂଘ ପକ୍ଷରୁ ଦୀର୍ଘ ଦିନ ଧରି ସରକାରଙ୍କ ଠାରେ ଦାବି କରି ଆସୁଥିବା ବିଭିନ୍ନ ସମସ୍ୟା ଓ ଅଭାବ ଅସୁବିଧା ସମ୍ପର୍କରେ ଆଲୋଚନା କରାଯାଇଥିଲା। ତେବେ ଓଡ଼ିଶା ରାଜ୍ୟ ଡ୍ରାଇଭର ମହାସଂଘ ଆହ୍ୱାନ କ୍ରମେ ଆସନ୍ତା ମାର୍ଚ୍ଚ ୧୫ ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଷ୍ଟିଅରିଙ୍ଗ ଛାଡ଼ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହି ଆନ୍ଦୋଳନକୁ ସମସ୍ତ ସଦସ୍ୟ ସମର୍ଥନ କରିଛନ୍ତି। ବୈଠକରେ ମହାସଂଘ ସଭାପତି ଦ୍ବିଜବର ସାହୁ, ସମ୍ପାଦକ ସଞ୍ଜୟ କୁମାର ସାହୁ, କୋଷାଧ୍ୟକ୍ଷ ଅକ୍ଷୟ କୁମାର ସାହୁ, ଉପଦେଷ୍ଟା ବିଶ୍ୱଜିତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।