ଘଟଣା ଓ ଦୁର୍ଘଟଣା

ନିଶାସକ୍ତ ଅବସ୍ଥାରେ ବସ୍ ଚଳାଇବା ମହଙ୍ଗା ପଡ଼ିଲା

By Angul TV Bureau

March 21, 2021

ଅନୁଗୁଳ: ନିଶାସକ୍ତ ଅବସ୍ଥାରେ ବସ୍ ଚଳାଇବା ଡ୍ରାଇଭର ପାଇଁ ମହଙ୍ଗା ପଡ଼ିଛି। ପୁଲିସ ହାବୁଡ଼ରେ ପଡ଼ି ଗିରଫ ହେବା ସହ ତାଙ୍କ ଲାଇସେନ୍ସ ରଦ୍ଦ କରାଯାଇଛି । ଡ୍ରାଇଭର କୁଲାଡ଼ ଗ୍ରାମର ସୂର୍ଯ୍ୟଦେବ ଅମାନ୍ତ(୩୦)ଙ୍କୁ ଗିରଫ କରି ପୁଲିସ ଜାମିନରେ ଛାଡ଼ିଥିବା ଜଣାଯାଇଛି। ବସ୍‌ଟି ଅନୁଗୁଳରୁ କଣ୍ଟାବଣିଆସ୍ଥିତ ଏକ କାରଖାନାକୁ ଯାଉଥିଲା । ବସରେ କର୍ମଚାରୀ ଯାତାୟାତ କରିଥାନ୍ତି । ତେବେ ରାଜରାସ୍ତା ଉପରେ ମନଇଚ୍ଛା ଗାଡ଼ି ଅଟକାଇବା, ଦ୍ରୁତ ଗତିରେ ଗାଡ଼ି ଚାଳନା କରିବା ନେଇ ପୂର୍ବରୁ ଏହି କମ୍ପାନୀ ବସ୍‌ଗୁଡ଼ିକ ନାମରେ ପୁଲିସ ନିକଟରେ ଏକାଧିକ ଅଭିଯୋଗ ହୋଇଛି। ଶନିବାର ସକାଳେ କର୍ମଚାରୀଙ୍କୁ ନେଇ କାରଖାନା ଅଭିମୁଖେ ଯାଉଥିବା ବେଳେ ବଅଁରପାଳ ପୁଲିସ ହାବୁଡ଼ରେ ବସଟି ପଡ଼ିଥିଲା । ପୁଲିସ ଚାଳକ ସୂର୍ଯ୍ୟଦେବଙ୍କୁ ଅଟକ ରଖି ପଚରାଉଚୁରା କରିବାରୁ ସେ ମଦ୍ୟପାନ କରି ଗାଡ଼ି ଚଳାଉଥିବା ଜଣାପଡ଼ିଥିଲା । ପୁଲିସ ଏକ କେସ୍ ରୁଜୁ କରି ତାଙ୍କର ଲାଇସେନ୍ସ ରଦ୍ଦ କରିବାକୁ ସୁପାରିଶ କରିଛି।