ଘଟଣା ଓ ଦୁର୍ଘଟଣା

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ପିଟିପିଟି ହତ୍ୟା, ୩ ଜଣଙ୍କ ନାଁରେ ଅଭିଯୋଗ

By Angul TV Bureau

August 18, 2025

ଅନୁଗୁଳ: ଅନୁଗୁଳ ଟାଉନ୍‌ ଥାନା ରାଣୀଗୋଡ଼ା ଗାଁରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ। ତିନିଜଣ ବ୍ୟକ୍ତି ଏହି ହତ୍ୟାକାଣ୍ଡ ଭିଆଇଛନ୍ତି। ଶନିବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

ସୂଚନା ମୁତାବକ, ରାଣୀଗୋଡ଼ା ଗାଁର ବାପି ବିଶ୍ବାଳ(୩୨)ଙ୍କ ସହିତ ସେହି ଗାଁର କିଛି ଯୁବକଙ୍କର ଶତ୍ରୁତା ରହିଥିଲା। ବାପି ଏକ ଚୋରି ଘଟଣାରେ ପୂର୍ବରୁ ଧରାପଡ଼ିଲେ। ଶନିବାର ଗାଁର ତ୍ରିବେଣୀ ଛକ ନିକଟରେ ବାପିଙ୍କ ସହ ଉକ୍ତ ଯୁବକଙ୍କର କଥା କଟାକଟି ହୋଇଥିଲା। ଅପରାହ୍‌ଣରେ ତାଙ୍କୁ ସେହି ଯୁବକମାନେ ପ୍ରବଳ ମାଡ଼ ମାରିଥିଲେ। ଚେତାଶୂନ୍ୟ ଅବସ୍ଥାରେ ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ସେ ପଡ଼ିଆ ନିକଟରେ ଗୁରୁତର ଅବସ୍ଥାରେ ପଡ଼ିରହିଥିଲେ। ସ୍ଥାନୀୟ ଲୋକଙ୍କଠୁ ଖବର ପାଇ ପୁଲିସ ବାପିଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

ଏନେଇ ଖବର ପାଇ ଗାଁ ଲୋକ ହସ୍ପିଟାଲରେ ପହଞ୍ଚିବା ପରେ ଚାପା ଉତ୍ତେଜନା ଦେଖାଯାଇଥିଲା। ଟାଉନ୍‌ ଥାନା ପୁଲିସ ଚିକିତ୍ସାଳୟରେ ପହଞ୍ଚି ମୃତଦେହକୁ ଜବତ କରିଥିଲା। ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିଲା।