ଅନୁଗୁଳ: ଅନୁଗୁଳ ଜିଲ୍ଲା ସଦର ମହକୁମାର ନିକଟରେ ଥିବା ଏକ ନକଲି ପାମୋଲିନ ତେଲ କାରଖାନା ଠାବ କରାଯାଇଛି। ଅନୁଗୁଳ ପୁଲିସ୍ ଓ ଜନସ୍ୱାସ୍ଥ୍ୟ ବିଭାଗ ମିଳିତ ଚଢ଼ାଉ କରି କାରଖାନାରୁ ବିପୁଳ ପରିମାଣର ତେଲ, ଖାଲି ଟିଣ, ପ୍ୟାକିଂ ସାମଗ୍ରୀ ଜବତ କରିଛନ୍ତି। ମାଲିକ ସମେତ ୫ ଜଣଙ୍କୁ ଗିରଫ କରି ପୁଲିସ ଅନୁସନ୍ଧାନ ଚଳାଇଛି। ଏହି ପାମୋଲିନ ତେଲ ବିଭିନ୍ନ କମ୍ପାନୀର ବ୍ରାଣ୍ଡରେ ପ୍ୟାକିଂ ହୋଇ ବଜାରକୁ ଛଡା ଯାଉଥିଲା। ପ୍ରାଥମିକ ତଦନ୍ତ ବେଳେ ଏହି ତେଲ କଲିକତାର ହଳଦିଆରୁ ଟ୍ୟାଙ୍କର ଯୋଗେ ଆସିବା ପରେ ଏଠାରେ ଟିଣ ଡବାରେ ପ୍ୟାକିଂ ହେଉଥିଲା । ପରେ ବିଭିନ୍ନ କମ୍ପାନୀର ଠିପି ଓ ଲୋଗୋ ଲଗାଇ ବଜାରରେ ବିକ୍ରି କରାଯାଉଥିଲା । କମ୍ପାନୀର କୌଣସି ପ୍ରକାର ସ୍ୱୀକୃତି ନଥିବା କିମ୍ବା ଫୁଡ଼ ଲାଇସେନ୍ସ ମଧ୍ୟ ନଥିଲା। ପ୍ରାୟ ଏକ ବର୍ଷ ପୂର୍ବରୁ ଏହି ତେଲ କାରଖାନା ବେଆଇନ ଭାବେ ଚାଲୁଥିବା ଜାଣି ପ୍ରଶାସନ ସିଲ କରିଥିଲା ।
ପରେ ପୁଣି ଏହି କମ୍ପାନୀ ବିନା କୌଣସି ଲାଇସେନ୍ସରେ ଅବାଧ ଭାବେ ତେଲ ଟିଣ ପ୍ରସ୍ତୁତ କରି ବିକ୍ରି କରୁଥିଲା । ବଜାରପଡ଼ାରେ ଥିବା ଅନ୍ୟ ଏକ ଗୋଦାମରେ ମଧ୍ୟ ଚଢ଼ାଉ କରଯାଇଥିଲା।ସେପଟେ ତେଲର ମାନଯାଞ୍ଚ କରିବାକୁ ନମୁନା ସଂଗ୍ରହ କରି ଭୁବନେଶ୍ବର ଲାବୋଟାରିକୁ ପଠାଯାଇଛି। ଅନୁଗୁଳ ଏସଡିପିଓ ଅଶ୍ଵିନୀ ସାହୁ , ସଦର ଥାନା ଅଧିକାରୀ ପ୍ରଭାତ ତ୍ରିପାଠୀ , ସ୍ପେଶାଲ ସ୍କ୍ବାଡ୍ ଅଫିସର ଦୀନକୃଷ୍ଣ ମିଶ୍ର , ଅନୁଗୁଳ ଜନସ୍ୱାସ୍ଥ୍ୟ ବିଭାଗର ଫୁଡ ଇନ୍ସିପେକ୍ଟର ହରପ୍ରିୟା ବେହେରା ମିଳିତ ଭାବେ ଚଢାଉ କରିଥିଲେ।