ମୁଖ୍ୟ ଖବର

୬ ମାସରେ ୭୦ ପ୍ରତିଶତ ବଢିଲାଣି ଖାଇବାତେଲ

By Biswaranjan Pattnaik

March 31, 2021

ଅନୁଗୁଳ: ଖାଉଟୀଙ୍କ ଉପରେ ଏବେ ଖାଇବା ତେଲର ମହଙ୍ଗାମାଡ଼ ପଡିଛି। ୬ ମାସ ଭିତରେ ୭୦ ପ୍ରତିଶତ ମହଙ୍ଗା ହେଲାଣି ଖାଇବା ତେଲ। ଏ ପ୍ରସଙ୍ଗ ଏବେ ରୋଷେଇ ଶାଳରୁ ଆସି ପହଞ୍ଚିଛି ବିଧାନସଭାରେ। ଖାଲି ପହଞ୍ଚିନି, ସରଗରମ ହୋଇଛି ଆଲୋଚନା। କଂଗ୍ରେସ, ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ କାଠଗଡ଼ାକୁ ଟାଣିଥିବା ବେଳେ ଦୋଷ ଲଦାଲଦି ହୋଇଛନ୍ତି ବିଜେପି ଓ ବିଜେଡି। ଆଳୁ, ପିଆଜ ଦରବୃଦ୍ଧିରୁ ତ୍ରାହି ମିଳିଛି କି ନାହିଁ କଲବଲ କଲାଣି ଖାଇବା ତେଲ ବୋଝ। ୬ ମାସରେ ୬୦ରୁ ୭୦% ମହଙ୍ଗା ହେଲାଣି ରୋଷେଇ ଘରର ଏହି ଅତ୍ୟାବଶ୍ୟକ ସାମଗ୍ରୀ। ଅକ୍ଟୋବର ମାସରେ ଯେଉଁ ରିଫାଇନ ତେଲର ଦାମ ଲିଟର ପିଛା ୯୫ ଟଙ୍କା ଥିଲା ଏବେ ତାହା ୧୬୫ ଟଙ୍କାରେ ପହଞ୍ଚିଛି। ଗରିବ ବ୍ୟବହାର କରୁଥିବା ପାମୋଲିନ୍ ତେଲରେ ବି ହାତ ଦେଇ ହେଉନି। ଲିଟର ପିଛା ୮୦ ଟଙ୍କାରୁ ବଢ଼ି ଛୁଇଁଲାଣି ୧୩୦ ଟଙ୍କା। ଆଉ ସୋରିଷ ତେଲ କଥା ବି ନ କହିବା ଭଲ।୫ ମାସରେ ସୋରିଷ ତେଲ ଲିଟର ୯୦ ଟଙ୍କା ଥିବା ବେଳେ ଏବେ ୧୫୦ ଏହାକୁ ନେଇ ଚିନ୍ତାରେ ଅଛନ୍ତି ଖାଉଟି ଆଉ ବ୍ୟଥାରେ ଗୃହିଣୀ। ସେମାନଙ୍କ କହିବା କଥା, ଲକ୍ଡାଉନ୍ ଯୋଗୁଁ ଆୟ କମିଥିବା ବେଳେ ସବୁ ଖାଇବା ଜିନିଷର ଦାମ ଆକାଶଛୁଆଁ ହୋଇଛି।