ମୁଖ୍ୟ ଖବର

ସାତକୋଶିଆ ଇକୋ-ସେନସିଟିଭ୍ ଜୋନ୍: ନିୟମ ସଂଶୋଧନ ପାଇଁ ଆରସିସିଏଫଙ୍କୁ ଦାବିପତ୍ର

By Angul TV Bureau

June 11, 2026

ଅନୁଗୋଳ: ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟର ପ୍ରସ୍ତାବିତ ଇକୋ-ସେନସିଟିଭ୍ ଜୋନ୍ (ESZ) ଡ୍ରାଫ୍ଟ ବିଜ୍ଞପ୍ତିରେ ଜୀବିକା ସୁରକ୍ଷା ଓ ଆବଶ୍ୟକ ସଂଶୋଧନ ପାଇଁ ସ୍ଥାନୀୟ ବାସିନ୍ଦା ସ୍ୱର ଉତ୍ତୋଳନ କରିଛନ୍ତି। ଅଭୟାରଣ୍ୟର ୨୦୫ଟି ଗ୍ରାମର ପ୍ରତିନିଧିମାନେ ଅନୁଗୋଳ ଜିଲ୍ଲାପାଳଙ୍କ ଜରିଆରେ ଏନେଇ ଆରସିସିଏଫ୍ ସଞ୍ଜୟ ସ୍ୱାଇଁଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ବିଜ୍ଞପ୍ତିରେ ଥିବା ଅସ୍ପଷ୍ଟ ଶବ୍ଦାବଳୀ ଯେପରିକି “ବାଣିଜ୍ୟିକ ନିର୍ମାଣ” ସ୍ଥାନୀୟ ଏସଏଚଜି (SHG) ଓ ହୋମଷ୍ଟେ ଭଳି ସାମୁଦାୟିକ ପ୍ରକଳ୍ପକୁ ବିପଦରେ ପକାଇବ। ଏଥିସହ ଜୋନାଲ ମାଷ୍ଟର ପ୍ଲାନ ପାଇଁ ସ୍ପଷ୍ଟ ସମୟସୀମା ନଥିବାରୁ ପର୍ଯ୍ୟଟନ କାର୍ଯ୍ୟକଳାପ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ସେମାନେ ଜେଡଏମପି (ZMP) ପ୍ରସ୍ତୁତି ପାଇଁ ନୋଡାଲ ସଂସ୍ଥା ନିଯୁକ୍ତି ଏବଂ ସାମୁଦାୟିକ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବାକୁ ଦାବି କରିଛନ୍ତି।

ବନବିଭାଗ ସହିତ ସମନ୍ୱୟ ରକ୍ଷା କରି ସଂରକ୍ଷଣ ଓ ଜୀବିକା ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ଗ୍ରାମବାସୀ କହିଛନ୍ତି। ଏହି ଦାବିଗୁଡ଼ିକୁ ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟଙ୍କ ନିକଟକୁ ପଠାଯିବ ବୋଲି ଆରସିସିଏଫ୍ ସୂଚନା ଦେଇଛନ୍ତି।