ଛେଣ୍ଡିପଦା; ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆମ ହସପିଟାଲ ଯୋଜନାରୁ ବାଦ ଦିଆଯାଇଥିବାରୁ ଛେଣ୍ଡିପଦା ତଥା ଆଖପାଖ ଗ୍ରାମର ଲୋକମାନେ ପାଞ୍ଚ ଦିନ ଧରି ଆନ୍ଦୋଳନ ଜାରି ରଖିଥିଲେ ମଧ୍ୟ ପ୍ରଶାସନିକ ସ୍ତରରୁ କୌଣସି ସହଯୋଗ ମିଳିନାହିଁ। ଏଣୁ ସ୍ଥାନୀୟ ଲୋକେ ମଙ୍ଗଳବାର ସକାଳ ୬ ଟାରୁ ଅର୍ଥନୈତିକ ଅବରୋଧ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି।
ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସମସ୍ତ ଭିତ୍ତିଭୂମି ଥିବା ବେଳେ ଚୂଡାନ୍ତ ତାଲିକାରେ ଛେଣ୍ଡିପଦା ବଦଳରେ କୋଶଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚୟନ ହୋଇଥିବା ସରକାରୀ ଚିଠା ପ୍ରକାଶ ପାଇଥିଲା। ଏହାକୁ ବେନିୟମ ଦର୍ଶାଇ ଗତ ଗୁରୁବାର ପୂର୍ବାହ୍ନରେ ଛେଣ୍ଡିପଦା ଗ୍ରାମ ସଭାପତି ଚନ୍ଦ୍ରମଣି ପ୍ରଧାନଙ୍କ ନେତୃତ୍ୱରେ ୭ ଟି ମୌଜାର ୨ ହଜାରରୁ ଊର୍ଦ୍ଧ୍ଵ ମହିଳା-ପୁରୁଷ ଛେଣ୍ଡିପଦା ତହସିଲ କାର୍ଯ୍ୟଳୟ ସମ୍ମୁଖରେ ପ୍ରତିବାଦ କରୁଛନ୍ତି। କିନ୍ତୁ ପାଞ୍ଚ ଦିନ ଧରି ଧାରଣାରେ ବସିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ସମସ୍ୟାର ସମାଧାନ ପାଇଁ କୌଣସି ପଦକ୍ଷେପ ନିଆଗଲାନାହିଁ। ତେଣୁ ଆନ୍ଦୋଳନରେ ସାମିଲ ଥିବା ସମସ୍ତ ଗ୍ରାମର କର୍ମକର୍ତ୍ତା ଏକ ଜରୁରୀକାଳୀନ ବୈଠକ କରି ମଙ୍ଗଳବାର ଠାରୁ ଅର୍ଥ ନୈତିକ ଅବରୋଧ କରିବେ ବୋଲି କହିଛନ୍ତି।