ଅନୁଗୁଳ: ଅନୁଗୁଳ ବନଖଣ୍ଡ ବନ୍ତଳା ବନାଞ୍ଚଳ ଲବଙ୍ଗି ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ଜୀବନ ଯାଇଛି। ମୃତକ ହେଲେ ପ୍ରମୋଦ ଭୋଇ (୬୫)। ଗୁରୁବାର ସକାଳେ ପ୍ରମୋଦ ଓ ତାଙ୍କ ପୁଅ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବା ବେଳେ ଘର ନିକଟସ୍ଥ ଆମ୍ବତୋଟାରେ ହାତୀ ହାବୁଡ଼ରେ ପଡ଼ିଥିଲେ। ପୁଅ ଦୌଡ଼ି ପଳାଇଥିବା ବେଳେ ପ୍ରମୋଦଙ୍କୁ ହାତୀ ଶୁଣ୍ଢରେ କଚାଡ଼ି ମାରିଦେଇଥିଲା।
ଏହି ଘଟଣାକୁ ନେଇ ବନବିଭାଗର ଅବହେଳା ଅଭିଯୋଗରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗ୍ରାମବାସୀ ଶବକୁ ଜଗି ରହି ବନ କର୍ମଚାରୀ ଓ ପୁରୁଣାକୋଟ ପୋଲିସକୁ ପ୍ରାୟ ୩ ଘଣ୍ଟା ଅଟକ ରଖିଥିଲେ। ପରେ ସ୍ଥାନୀୟ ସରପଞ୍ଚ ଓ ଭଦ୍ରବ୍ୟକ୍ତିଙ୍କ ମଧ୍ୟସ୍ଥତାରେ ବୈଠକ ବସିଥିଲା। ମୃତକଙ୍କ ପୁଅକୁ ‘ଗଜମିତ୍ର’ ନିଯୁକ୍ତି, ମାସକ ମଧ୍ୟରେ ସୋଲାର ବାଡ଼ ନିର୍ମାଣ, ହାଇମାଷ୍ଟ ଲାଇଟ୍ ଏବଂ ଅଗ୍ରୀମ ସହାୟତା ପାଇଁ ବନବିଭାଗ ଲିଖିତ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଶେଷରେ ଶବ ବ୍ୟବଚ୍ଛେଦ ପାଇଁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।