ଅନୁଗୁଳ: ଭତ୍ତା ପାଇଁ ସରକାରୀ କାର୍ଯ୍ୟାଳୟ ମୁହାଁ ଅସହାୟ ହିତାଧିକାରୀ। ତାଳଚେର ବ୍ଲକ ଅନ୍ତର୍ଗତ କୁମୁଣ୍ଡା ପଞ୍ଚାୟତରେ ଦୀର୍ଘ ୩ ମାସ ହେବ ବୃଦ୍ଧା ଓ ବୃଦ୍ଧମାନେ ସାମାଜିକ ସୁରକ୍ଷା ଭତ୍ତାରୁ ବଞ୍ଚିତ ହୋଇଛନ୍ତି। ଶେଷରେ ବାଧ୍ୟ ହୋଇ ଆଜି ପ୍ରଖର ଖରାରେ ସେମାନେ ଲକ୍ଷ୍ମୀ ବସ ଯୋଗେ ତାଳଚେର ହାଟତୋଟା ସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ।
ସେଠାରେ ଉପଜିଲ୍ଲାପାଳ ଆଶିଷ ରଞ୍ଜନ ସାହୁଙ୍କୁ ସାକ୍ଷାତ କରି ବୃଦ୍ଧବୃଦ୍ଧାମାନେ ନିଜର ଦୁଃଖ ଜଣାଇଥିଲେ। ଅପରାହ୍ଣ ବୟସରେ ଔଷଧ ଟୋପାଏ ପାଇଁ ସେମାନେ କିଭଳି ଡହଳବିକଳ ହେଉଛନ୍ତି, ତାହା ବର୍ଣ୍ଣନା କରିଥିଲେ। ପୂର୍ବ ସରକାର ସମୟରେ ମାସକୁ ମାସ ଭତ୍ତା ମିଳୁଥିବା ବେଳେ, ଏଥର ବିଳମ୍ବ ହେବା ପ୍ରଥମ ଘଟଣା ବୋଲି ସେମାନେ ଅଭିଯୋଗ କରିଛନ୍ତି।
ଉପଜିଲ୍ଲାପାଳ ଶ୍ରୀ ସାହୁ ସେମାନଙ୍କ ସମସ୍ୟାକୁ ହୃଦୟଙ୍ଗମ କରିବା ସହ ଖୁବ୍ଶୀଘ୍ର ନିଶ୍ଚିତ ଭାବେ ଭତ୍ତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହି ଆଶ୍ୱାସନା ପରେ ଅସହାୟ ହିତାଧିକାରୀଙ୍କ ମଧ୍ୟରେ ସାମାନ୍ୟ ଆଶା ସଞ୍ଚାର ହୋଇଛି।