ମୁଖ୍ୟ ଖବର

ଶେଷ ପର୍ଯ୍ୟାୟରେ ନିର୍ବାଚନ ପ୍ରସ୍ତୁତି: ଅନୁଗୁଳରେ ସମୀକ୍ଷା କଲେ ସାଧାରଣ ପର୍ଯ୍ୟବେକ୍ଷକ

By Angul TV Bureau

May 10, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଚଳିତ ମାସ ୨୫ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନର ପ୍ରସ୍ତୁତି ଓ ତଦାରଖ ନିମନ୍ତେ ବୁଧବାର ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଅନୁଗୁଳ, ତାଳଚେର ଓ ପାଳ ଲହଡା ବିଧାନସଭା କ୍ଷେତ୍ର ପାଇଁ ସାଧାରଣ ପର୍ଯ୍ୟବେକ୍ଷକ ପାଦୁମ୍ ସିଂ ଆଲ୍‌ମା ଓ ଢେଙ୍କାନାଳ ସଂସଦୀୟ କ୍ଷେତର ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକ କାର୍ତ୍ତିକେୟନ୍ ପାଣ୍ଡି ଯୋଗଦେଇ ସମସ୍ତ କାର୍ଯ୍ୟର ସମୀକ୍ଷା କରିଥିଲେ।

ଜିଲ୍ଲାପାଳ ଅଦାଲ୍ ଏମ୍ ଅଖର ଜିଲ୍ଲାର ନିର୍ବାଚନୀ ପ୍ରସ୍ତୁତି ସମ୍ପର୍କରେ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ। ପର୍ଯ୍ୟବେକ୍ଷକମାନେ ବିଶେଷ କରି ମତଦାନ ପାଇଁ ଭୋଟରଙ୍କ ସୁବିଧା, ବୁଥ୍ ଗୁଡିକର ସ୍ଥିତି, ଇଭିଏମ୍ ଓ ଭିଭିପାଟ୍ ପ୍ରସ୍ତୁତି, ପୋଲିଂ ଅଧିକାରୀ, ସେକ୍ଟର ଅଧିକାରୀ, ମାଇକ୍ରୋ ପର୍ଯ୍ୟବେକ୍ଷକଙ୍କ ପ୍ରଶିକ୍ଷଣ, ନିର୍ବାଚନ ଖର୍ଚ୍ଚ ପରିଚାଳନା, ସି- ଭିଜିଲ ରିପୋର୍ଟ, ଏମ୍ ସି ଏମ୍ ସି ରିପୋର୍ଟ, ପୋଷ୍ଟାଲ ବାଲଟ୍, ହୋମ୍ ଭୋଟିଂ, ସମ୍ବେଦନଶୀଳ ବୁଥ୍, ଆରକ୍ଷୀ ବାହିନୀ ମୁତୟନ, ଫ୍ଲାଇଂ ସ୍ପାର୍ଡ, ଏସ୍ ଏସ୍ ଟି, ଆରକ୍ଷୀ ଓ ଅବକାରୀ ବିଭାଗ ଦ୍ବାରା ବେଆଇନ ନିଶା ଦ୍ରବ୍ୟ ଓ ଟଙ୍କା ଜବତ ଉପରେ ସମୀକ୍ଷା କରିଥିଲେ। ନିର୍ବାଚନକୁ ନିରପେକ୍ଷ, ଶାନ୍ତିପୂର୍ଣ୍ଣ ଓ ଅବାଧ ଭାବେ ପରିଚାଳନା କରିବା ସମ୍ପର୍କରେ ପର୍ଯ୍ୟବେକ୍ଷକମାନେ ଗୁରୁତ୍ଵ ଦେଇଥିଲେ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ହେମନ୍ତ କୁମାର ସିଂଙ୍କ ସମେତ ସମସ୍ତ ନିର୍ବାଚନ ଅଧିକାରୀ ଓ ନୋଡାଲ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।