ଅନୁଗୁଳ: ରାଜ୍ୟର ବିଭିନ୍ନ କଲେଜରେ ଆସନ୍ତା ସେପ୍ଟେମ୍ବରରେ ଛାତ୍ର ସଂସଦ ନିର୍ବାଚନ ହେବ। ଦୀର୍ଘ ୭ ବର୍ଷ ପରେ ଏହି ନିର୍ବାଚନ ହେଉଥିବାରୁ ଚଳଚଞ୍ଚଳ ବିଭିନ୍ନ କଲେଜ କ୍ୟାମ୍ପସ। ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇ ନଥିଲେ ବି ସେପ୍ଟେମ୍ବର ୨୫ କିମ୍ବା ୨୬ରେ ଛାତ୍ର ସଂସଦ ନିର୍ବାଚନ କରିବାକୁ ଉଚ୍ଚଶିକ୍ଷା ବିଭାଗ ଯୋଜନା ପ୍ରସ୍ତୁତ କରିଛି।
ଏନେଇ ସେପ୍ଟେମ୍ବର ୧୫ କିମ୍ବା ୧୬ ତାରିଖରେ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ। ସେପ୍ଟେମ୍ବର ୧୭/୧୮ ତାରିଖ ପୂର୍ବାହ୍ନ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିପାରିବେ। ସେହିଦିନ ଅପରାହ୍ନ ନାମାଙ୍କନପତ୍ର ଗୁଡ଼ିକର ଯାଞ୍ଚ ହେବ। ୧୮/୧୯ ତାରିଖ ପୂର୍ବାହ୍ନ ୧୧ଟାରେ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ ଏବଂ ସେହିଦିନ ଅପରାହ୍ନ ୨ଟାରୁ ୪ଟା ମଧ୍ୟରେ ନାମାଙ୍କନପତ୍ର ପ୍ରତ୍ୟାହାର ଏବଂ ଅପରାହ୍ନ ୫ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ। ସେପ୍ଟେମ୍ବର ୨୪ କିମ୍ବା ୨୫ ତାରିଖରେ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍ରେ ‘Why I stand for’ ମିଟିଙ୍ଗ ଅନୁଷ୍ଠିତ ହେବ। ଏଥର ମଧ୍ୟ ଗୋଟିଏ ସମୟରେ ସାରା ରାଜ୍ୟରେ ନିର୍ବାଚନ କରିବାକୁ ନିଷ୍ପତ୍ତି ହୋଇଛି। ସମ୍ଭବତଃ ୨୫ କିମ୍ବା ୨୬ ତାରିଖ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ଅନୁଷ୍ଠିତ ହେବ। ଅପରାହ୍ନ ୨ଟାରୁ ଭୋଟଗଣତି ଆରମ୍ଭ ହୋଇ ସନ୍ଧ୍ୟା ସୁଦ୍ଧା ଫଳ ପ୍ରକାଶ ପାଇବ। ସେପ୍ଟେମ୍ବର ୨୬, ନହେଲେ ୨୭ ତାରିଖ ପୂର୍ବାହ୍ନ ୧୧ଟାରେ ବିଜୟୀ ପ୍ରାର୍ଥୀଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ଏହାପରେ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଦଶହରା ଛୁଟି ଘୋଷଣା କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି ।