ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ ପୁରୁଣାଗଡ଼ ଗ୍ରାମରେ ହାତୀପଲଙ୍କ ଉପଦ୍ରବ ଯୋଗୁଁ ଚାଷୀମାନେ ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ ହୋଇଛନ୍ତି। ଗତ କିଛି ଦିନ ହେବ ୧୮ଟିକିଆ ଏକ ହାତୀପଲ ବିଳମ୍ବିତ ରାତିରେ ଗାଁରେ ପଶି ଏକର ଏକର କଦଳୀ, କୋବି, ଲଙ୍କା ଓ ଆଳୁ ଚାଷକୁ ଦଳିଚକଟି ସମ୍ପୂର୍ଣ୍ଣ ନଷ୍ଟ କରିଦେଉଛନ୍ତି। ଗତ ୯ ତାରିଖରେ ହାତୀପଲ ପ୍ରଥମେ ଆସି ପରିବା ଚାଷ ଉଜାଡ଼ିଥିବା ବେଳେ ଗତକାଲି ପୁଣିଥରେ ବିରପାଳ ଅଞ୍ଚଳରେ ପଶି ଫସଲ ନଷ୍ଟ କରିଛନ୍ତି।
ଚାଷୀମାନେ ନିଜର ସୁନାର ଫସଲକୁ ବଞ୍ଚାଇବା ପାଇଁ ରାତିସାରା ମେଳି ହୋଇ ହାତୀ ଘଉଡ଼ାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ସଫଳ ହେଉନାହାନ୍ତି। ଏହାଦ୍ୱାରା ସେମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡ଼ିଥିବା ବେଳେ ସରକାରୀ ସହାୟତାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। କ୍ଷତି ଅନୁଯାୟୀ ଉପଯୁକ୍ତ କ୍ଷତିପୂରଣ ମିଳୁ ନଥିବା ଅଭିଯୋଗ କରି, ହାତୀ ଦାଉରୁ ଫସଲକୁ ସୁରକ୍ଷା ଦେବା ସହ ଉଚିତ ଅନୁକମ୍ପାମୂଳକ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।