ଅନୁଗୁଳ : ଅନୁଗୁଳ ଜିଲ୍ଲା ଜଗନ୍ନାଥପୁର ବୃତ୍ତି ଗାଁକୁ ପଣସ ଖାଇବାକୁ ଆସି ଏକ ହାତୀ ଆମ୍ବ ଓ ପଣସ ଗଛ ମଝିରେ ଫସିଯାଇଛି। ହାତୀର ଗୋଡ଼ ଦୁଇ ଗଛ ମଧ୍ୟରେ ଲାଖି ରହିଛି। ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତାକୁ ଉଦ୍ଧାର କରିଛନ୍ତି। ସୂଚନା ମୁତାବକ, ଜଙ୍ଗଲର ବହୁ ଗଛରେ ପଣସ ପାଚିଥିବା ବେଳେ ତାହାକୁ ଖାଇବାକୁ ସୋମବାର ରାତିରେ ହାତୀ ଆସିଥିଲା। ମଙ୍ଗଳବାର ସକାଳେ ସ୍ଥାନୀୟ ଲୋକେ ଜଙ୍ଗଲକୁ ଯାଇଥିବା ବେଳେ ହାତୀଟି ୨ଟି ଗଛ ମଝିରେ ଫସିଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗର ACF ରଞ୍ଜନ କୁମାର ବେହେରାଙ୍କ ନେତୃତ୍ବରେ ଏକ ଟିମ୍ ପହଞ୍ଚି ହାତୀକୁ ବାହାର କରିଛନ୍ତି। ଘଟଣାସ୍ଥଳରେ ମେଡିକାଲ ଟିମ୍ ମଧ୍ୟ ଉପସ୍ଥିତ ଥିଲେ ବୋଲି ସୂଚନା ମିଳିଛି।