ମୁଖ୍ୟ ଖବର

ହାତୀ ଉପଦ୍ରବ: ଏକର ଏକର ଧାନ ଫସଲ ନଷ୍ଟ, ଚିନ୍ତାରେ ଚାଷୀ

By Angul TV Bureau

October 10, 2026

ଅନୁଗୋଳ: ଅନୁଗୋଳ ଜିଲ୍ଲା ପାଳଲହଡ଼ା ବ୍ଲକ ଅଞ୍ଚଳରେ ଦୁଇ ମାସ ଧରି ଜାରି ରହିଛି ବଣୁଆ ହାତୀଙ୍କ ଉପଦ୍ରବ। ହାତୀପଲ ଧାନ ଜମିରେ ପଶି ରୁଆ ଧାନ ଫସଲ ନଷ୍ଟ କରୁଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଶହ ଶହ ଏକର ଜମିରେ ଧାନ ଫସଲ ନଷ୍ଟ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ, ଜମରଡିହ, ଯୋଲଣ୍ଡା ଓ ଯୋକପାଣି ଅଞ୍ଚଳରେ ପ୍ରାୟ ୧୫ଟି ହାତୀକୁ ନେଇ ଏକ ପଲ ବୁଲୁଛନ୍ତି। ରାତିରେ ହାତୀପଲ ଧାନ ଜମିରେ ପଶି ଫସଲ ଦଳିଚକଟି ନଷ୍ଟ କରୁଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଛି।

ବର୍ତ୍ତମାନ ପାଳଲହଡ଼ା ବନଖଣ୍ଡ ଅଞ୍ଚଳରେ ଦୁଇଟି ଦଳରେ ମୋଟ ୧୭ଟି ହାତୀ ରହିଥିବା ବନ ବିଭାଗ ପକ୍ଷରୁ ଜଣାପଡ଼ିଛି। ଏହା ମଧ୍ୟରୁ ଦୁଇଟି ଦନ୍ତା ହାତୀ ଗୁରୁବାର ଝିମିରିପାଲି ଗାଁ ମୁଣ୍ଡ ହୁଳି ନିକଟରେ ପହଞ୍ଚିଛନ୍ତି। ଏହି ହାତୀଙ୍କ ଗତିବିଧିକୁ ନେଇ ଝିମିରିପାଲି, ଡିମିରିଆ, ରଞ୍ଜ ଓ ତାଳବାହାଳି ଅଞ୍ଚଳର ଚାଷୀମାନେ ଆତଙ୍କିତ ହୋଇପଡ଼ିଛନ୍ତି।

ବିଶେଷକରି ଡିମିରିଆ ପଞ୍ଚାୟତର ବିଭିନ୍ନ ଗାଁର ଧାନ ଜମିରେ ହାତୀ ପଶିଲେ ଚଳିତବର୍ଷର ଧାନ ଫସଲ ବ୍ୟାପକ ଭାବେ ନଷ୍ଟ ହେବା ନେଇ ଚାଷୀମାନେ ଆଶଙ୍କା ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ ଝିମିରିପାଲି ଅଞ୍ଚଳରୁ ହାତୀଙ୍କୁ ଘଉଡ଼ାଇବା ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ ଚାଲିଥିବା ଜଣାପଡ଼ିଛି। ହାତୀଙ୍କ ଗତିବିଧି ଉପରେ ନଜର ରଖିବା ସହ ଚାଷୀମାନଙ୍କୁ ସତର୍କ ରହିବାକୁ ବନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ହାତୀ ଯୋଗୁଁ ନଷ୍ଟ ହୋଇଥିବା ଫସଲର ଆକଳନ କରି ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଦାବି ହୋଇଛି।