ମୁଖ୍ୟ ଖବର

ମାଟି ତଳୁ ହାତୀ କଙ୍କାଳ ମିଳିବା ଘଟଣା: ବନ ବିଭାଗ କର୍ମଚାରୀଙ୍କ ଜ୍ଞାତସାରରେ ହୋଇଥିଲା ସବୁ କାମ, ୩ ୱାଚର ଗିରଫ

By Angul TV Bureau

June 26, 2022

ଅନୁଗୁଳ: ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡରେ ଦନ୍ତା ହାତୀକୁ ପୋତିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବନବିଭାଗ। ସୂଚନା ଅନୁସାରେ, କଟକ ଜିଲ୍ଲା ଅନ୍ତର୍ଗତ ଜିଲିଣ୍ଡା ରେଞ୍ଜ ସତ୍ୟଜୟପୁର ପତ୍ରା ଜଙ୍ଗଲରେ ଏକ ଦନ୍ତା ହାତୀକୁ ପୋତି ଦିଆଯାଇଥିଲା। ବନ ବିଭାଗର ୱାଚର, ଫରେଷ୍ଟର ଓ ରେଞ୍ଜ ଅଫିସରଙ୍କ ଜ୍ଞାତସାରରେ ଏହି ଘଟଣା ଘଟିଥିବା ବେଳେ ବର୍ଷେ କାଳ ଲୁଚାଇ ରଖା ଯାଇଥିଲା। ଗତ ୨୩ ତାରିଖ ରାତିରେ ଜିଲିଣ୍ଡା ରେଞ୍ଜରୁ ହାତୀ କଙ୍କାଳ ଜବତ ହୋଇଥିଲା। ଏହା ପରେ ସାତକୋଶିଆ ଡ଼ିଏଫଓ ସରୋଜ ପଣ୍ଡା ଖୋଦ ଘଟଣାର ତଦନ୍ତ କରିଥିଲେ। ତଦନ୍ତରେ ହାତୀକୁ ପୋତିବା ଘଟଣାରେ ସ୍ଥାନୀୟ ବନ ବିଭାଗର କର୍ମଚାରୀମାନଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଥିଲା।

ଡିଏଫଓଙ୍କ ନିର୍ଦ୍ଦେଶରେ ୩ ଜଣ ୱାଚରଙ୍କୁ ଗିରଫ କରାଯାଇଛି। ଏଥିସହ ଫରେଷ୍ଟର ଅନୁପମା ସାହୁ ଓ ଫରେଷ୍ଟର ସହଦେବ ସୋରେନଙ୍କୁ ନିଲମ୍ବିତ କରାଯାଇଛି। ସ୍ଥାନୀୟ ରେଞ୍ଜ ଅଫିସରଙ୍କର ମଧ୍ୟ ସମ୍ପୃକ୍ତି ଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଡିଏଫଓ ଚିଠି ଲେଖିଥିବା ଜଣାଯାଇଛି।