ମୁଖ୍ୟ ଖବର

ତାଳଚେରରେ ହାତୀ ଆତଙ୍କ: ଜନବସତିମୁହାଁ ଦନ୍ତା, ଆତଙ୍କିତ ସ୍ଥାନୀୟ ବାସିନ୍ଦା

By Angul TV Bureau

May 03, 2026

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଶିଳ୍ପାଞ୍ଚଳରେ ହାତୀ ଆତଙ୍କ ଥମିବାର ନାଁ ନେଉନାହିଁ। ଗତକାଲି ବିଳମ୍ବିତ ରାତିରେ ଲିଙ୍ଗରାଜ କୋଇଲା ଖଣି ନିକଟରେ ଏକ ଦନ୍ତା ହାତୀ ବୁଲୁଥିବାର ଦେଖିବାକୁ ମିଳିଛି। ଉକ୍ତ ହାତୀଟି ୧୪୯ ନମ୍ବର ଜାତୀୟ ରାଜପଥ ସଂଲଗ୍ନ ଚାଳିଆକୂଟ୍ଟା ଗ୍ରାମ କେନାଲ ରାସ୍ତାରେ ଦୀର୍ଘ ସମୟ ଧରି ରହିବା ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

ସୂଚନା ଅନୁସାରେ, ଖାଦ୍ୟ ଅନ୍ୱେଷଣରେ ହାତୀପଲ ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଅଞ୍ଚଳରୁ ବ୍ରାହ୍ମଣୀ ନଦୀ ପାର ହୋଇ ବାରମ୍ବାର ତାଳଚେର ସୀମାକୁ ପ୍ରବେଶ କରୁଛନ୍ତି। ବନବିଭାଗ ଓ ସ୍ଥାନୀୟ ଲୋକଙ୍କ ମିଳିତ ଉଦ୍ୟମରେ ହାତୀକୁ ଘଉଡ଼ା ଯାଇଥିଲେ ହେଁ, ଗୋଠରୁ ବିଚ୍ୟୁତ ଏହି ଦନ୍ତାଟି ବାଟ ନପାଇ ଏବେ କଙ୍କିଳି, ଧରମପୁର ଓ ଶୈନାଳୀ ଭଳି ଗ୍ରାମ ନିକଟରେ ଘୂରି ବୁଲୁଛି।

ହାତୀ ପ୍ରାଦୁର୍ଭାବ ଯୋଗୁଁ ବ୍ୟାପକ ଧନଜୀବନ ହାନି ହେଉଥିବା ବେଳେ ବନବିଭାଗର ସାମୟିକ ପଦକ୍ଷେପକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ହାତୀ ସମସ୍ୟାର ଏକ ସ୍ଥାୟୀ ପ୍ରତିକାର କରିବା ସହ ଜନବସତିରୁ ବନ୍ୟଜନ୍ତୁଙ୍କୁ ଦୂରେଇ ରଖିବା ପାଇଁ ସାଧାରଣରେ ଦୃଢ଼ ଦାବି ହେଉଛି। ବନବିଭାଗ ବର୍ତ୍ତମାନ ହାତୀର ଗତିବିଧି ଉପରେ ନଜର ରଖିବା ସହ ଅଞ୍ଚଳବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି।