ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଓ ଅନୁଗୁଳ ସହର ନିକଟବର୍ତ୍ତୀ ଗାଁ ଆଙ୍କୁଲା ନୂଆସାହି ଆମ୍ବତୋଟାରେ ଶୁକ୍ରବାର ସକାଳେ ଏକ ହାତୀପଲ ରହିଥିବା ଦେଖାଯାଇଥିଲା। ଏହି ଦଳରେ ୧୯ଟି ହାତୀ ଥିବା ଜଣାପଡ଼ିଛି । ବନ ବିଭାଗ ହାତୀପଲ ଉପରେ ତୀକ୍ଷ୍ଣ ନଜର ରଖିଥିବା ବେଳେ ରାତିରେ ସେମାନଙ୍କୁ ନିକଟସ୍ଥ ଜଙ୍ଗଲକୁ ଘଉଡ଼ାଇବାକୁ ଯୋଜନା ରଖିଛି। ହାତୀପଲ ଦ୍ବାରା ଗ୍ରାମବାସୀଙ୍କର ୭ ଏକରରୁ ଉର୍ଦ୍ଧ୍ବ ଧାନ ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ହାତୀ ଉପଦ୍ରବ ଯୋଗୁଁ ବହୁ ଧାନବିଲ କ୍ଷତିଗ୍ରସ୍ତ ହୋଇଛି। ହାତୀପଲ ମଧ୍ୟରେ ଏକ ଦନ୍ତା ହାତୀ ଉତ୍ପାତ ଚଳାଇଥିବାରୁ ସ୍ଥାନୀୟ ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି। ହାତୀ ଗୋଡ଼ାଇବାରୁ ଦୌଡ଼ିବାକୁ ଉଦ୍ୟମ କରି ଗାଁର ବାବୁଲି ସାହୁ ଖଣ୍ଡିଆ ଖାବରା ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ହାତୀପଲର ସୁରକ୍ଷା ଦୃଷ୍ଟିରୁ ଗଡ଼ସନ୍ତ୍ରୀ, ବଉଳିଗଡ଼, ଅରାହାଟ, ପୁରୁକିଆ, ଶିକରସାହି, ତୁଳସୀପାଳ, ଲଙ୍ଗୁଳିଆବେଡ଼ା ଆଦି ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତ୍ରିରୁ ବିଦ୍ୟୁତ କାଟ୍ କରାଯାଇଛି। ଫଳରେ ଶୁକ୍ରବାର ଦିନତମାମ ଗରମ ଗୁଳୁଗୁଳିରେ ଲୋକ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ହିନ୍ଦୋଳ ବନାଞ୍ଚଳରୁ ହାତୀପଲ ଏ ଅଞ୍ଚଳକୁ ଚାଲି ଆସିଥିବା ଅନୁମାନ କରାଯାଇଛି।