ମୁଖ୍ୟ ଖବର

ସରକାରୀ ଅଫିସ୍‌ରେ ଦଲାଲି କରୁଛନ୍ତି କର୍ମଚାରୀ

By Biswaranjan Pattnaik

January 16, 2021

ଅନୁଗୁଳ: ପ୍ରତିଦିନ କେଉଁଠି ନା କୋଉଠି ଭିଜିଲାନ୍ସ ରେଡ୍‌ ହେଉଛି। ଧରା ପଡୁଛନ୍ତି ସରକାରୀ କର୍ମଚାରୀ। ପିଅନଙ୍କ ଘରୁ କୋଟି କୋଟି ଟଙ୍କାର ସମ୍ପତ୍ତି ମିଳିଲାଣି ତ ପାଠକ ଭଳି ବଡ଼ ବଡ଼ ଅଧିକାରୀଙ୍କ ଘରୁ ଶହଶହ କୋଟି। ଅଭିଯୁକ୍ତମାନେ ଗିରଫ ହେଉଛନ୍ତି, ସମ୍ପତ୍ତି ଜବତ ହେଉଛି।ଏସବୁ ସତ୍ତ୍ବେ ମାନସିକତା ବଦଳି ନାହିଁ ଆଜିଯାଏଁ। ଲାଞ୍ଚ ଖାଇବୁ, କମିଶନ ଖାଇବୁ-ପରିସ୍ଥିତି ଯାହା ହେଉ ପଛେ। ନିକଟରେ ତାଳଚେର ଉପଖଣ୍ତ ଡାକ୍ତରଖାନାର ଜଣେ ବରିଷ୍ଠ କିରାଣି ଏବ˚ ଜଣେ ବ୍ୟକ୍ତିଙ୍କ ମଧ୍ୟରେ ହୋଇଥିବା ଅଡିଓ ବାର୍ତ୍ତାଳାପ ଭାଇରାଲ୍‌ ହେବା ପରେ ପୁଣି ଉଜାଗର ହୋଇଛି ଦଲାଲି ପ୍ରସଙ୍ଗ। କିଛି ମାସ ତଳେ ଦଲାଲି କରୁଥିବା ଅଭିଯୋଗରେ ପୁଲିସ୍‌ କିଛି ବ୍ୟକ୍ତିଙ୍କୁ ଗିରଫ କରିଥିଲା। କିନ୍ତୁ ଘଟଣା ଏବେ ପୂରା ଓଲଟା। ଜିଲ୍ଲାର ପ୍ରତିଟି ଅଫିସ୍‌ରେ ଥିବା କର୍ମଚାରୀମାନେ ହିଁ ଅସଲ ଦଲାଲ। ସେହିମାନେ ହିଁ ଲୋକଙ୍କୁ ଜାଲରେ ଫସାଇ ଲୋକଙ୍କୁ ଲୁଟୁଥିବା ଅଭିଯୋଗ ହେଉଛି। ପୌରପାଳିକାର ଜଣେ କର୍ମଚାରୀ ଏଭଳି ଦଲାଲି କରି ଲୋକଙ୍କଠୁଁ ପଇସା ନେଇ ଜନ୍ମ ତଥା ମୃତ୍ୟୁ ପ୍ରମାଣପତ୍ର ଦେଉଥିବା ଜଣାପଡ଼ିବା ପରେ ନିର୍ବାହୀ ଅଧିକାରୀ ତାଙ୍କୁ କଡ଼ା ତାଗିଦ କରିଥିଲେ। ସେହିଭଳି ତାଳଚେର ଉପଖଣ୍ତ ଡାକ୍ତରଖାନାର ବରିଷ୍ଠ କିରାଣି ବେହେରାବାବୁ ଏବ˚ ଚାଇଁପାଳ ଅ˚ଚଳର ରମେଶ ନାମକ ଯୁବକଙ୍କ ଭିତରେ ଯେଉଁ କଥୋପକଥନ ଭାଇରାଲ୍‌ ହେଉଛି ସେଥିରୁ ସରକାରୀ ଅଫିସ୍‌ର କର୍ମଚାରୀମାନେ କିଭଳି ଦଲାଲି କରୁଛନ୍ତି ତାହା ପ୍ରମାଣିତ ହେଉଛି। ଠିକା ସ˚ସ୍ଥାରେ ସିକ୍ୟୁରିଟି ଗାର୍ଡ ଏବ˚ ହେଲ୍‌ପ ଡେସ୍କ କର୍ମଚାରୀ ରଖାଇଦେବାକୁ କହି ଅନୁଗୁଳ ମୁଖ୍ୟ ଡାକ୍ତରଖାନାର ଜନୈକ କର୍ମଚାରୀ ଲକ୍ଷ ଲକ୍ଷ ଟଙ୍କା ଲୁଟିଥିବା ନେଇ ଅତୀତରେ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ ହୋଇଥିଲା। କିନ୍ତୁ ଅଡିଓ ଭିଡିଓ ପ୍ରମାଣ ନଥିବାରୁ ଘଟଣାଟି ଚପିଯାଇଥିଲା। ଏବେ ବି ଜିଲ୍ଲାର ପ୍ରାୟ ସବୁ ଅଫିସ୍‌ରେ ଯଥା ଆର‌୍‌ଟିଓ, ଜମିବାଡ଼ି ରେଜିଷ୍ଟ୍ରି କାର୍ଯ୍ୟାଳୟ, ପୂର୍ତ୍ତ, ପାନୀୟ ଜଳ, ଟାମ୍‌ଡା, ତହସିଲ ଆଦି କାର୍ଯ୍ୟାଳୟରେ କର୍ମଚାରୀମାନଙ୍କ ଦଲାଲି ରାଜ୍‌ ଚାଲୁ ରହିଛି। ବିଭାଗୀୟ ହାକିମମାନେ ଏସବୁ ଜାଣି ସୁଦ୍ଧା ଚୁପ୍‌ ରହିବା ସେମାନଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି। ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବେ ବୋଲି ଆଶା କରାଯାଏ।