ମୁଖ୍ୟ ଖବର

ସାତକୋଶିଆରେ ପକ୍ଷୀ ଗଣନା ଶେଷ: ଏଥର  ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା କମ୍, ଅଛନ୍ତି ୫୩ଟି ପ୍ରଜାତିର ୩୮୪୨ଟି ପକ୍ଷୀ

By Angul TV Bureau

January 24, 2025

ଅନୁଗୁଳ: ସାତକୋଶିଆ ଗଣ୍ଡରେ ସରିଲା ପକ୍ଷୀ ଗଣନା। ଗତ ୧୭ ଓ ୧୮ ତାରିଖ ଦୁଇଦିନ ଧରି ପକ୍ଷୀ ଗଣନା କରାଯାଇଥିଲା। ବିଗତ ବର୍ଷ ମାନଙ୍କ ଅପେକ୍ଷା ଚଳିତ ବର୍ଷ ବିଦେଶାଗତ ପକ୍ଷୀ ସଂଖ୍ୟା ଖୁବ କମ୍ ବୋଲି ଜଣାପଡ଼ିଛି। ରିପୋର୍ଟ ଅନୁସାରେ, କେବଳ ସାତକୋଶିଆ ଗଣ୍ଡରେ ୫୩ଟି ପ୍ରଜାତିର ୩୮୪୨ଟି ପକ୍ଷୀ ଥିବା ଆକଳନ କରାଯାଇଛି। ସେଥି ମଧ୍ୟରୁ ଅଧିକାଂଶ ପକ୍ଷୀ ସ୍ଥାନୀୟ ଓ ଦେଶୀୟ ପକ୍ଷୀ। ଚଳିତ ବର୍ଷ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ଖୁବ ନଗଣ୍ୟ। ପୂର୍ବ ବର୍ଷ ମାନଙ୍କରେ ଏଠାକୁ ବହୁ ସଂଖ୍ୟାରେ ବିଦେଶାଗତ ପକ୍ଷୀ ଆସୁଥିଲେ। ଏଠାକାର ପରିବେଶ ସେମାନଙ୍କ ପାଇଁ ବେଶ୍ ଅନୁକୂଳ ଏବଂ ପର୍ଯ୍ୟାପ୍ତ ଖାଦ୍ୟ ମିଳେ। ଏହାଛଡା ସେମାନେ ଏଠାରେ ସୁରକ୍ଷିତ ମନେ କରନ୍ତି।ସୂଚନା ମୁତାବକ, ଟିକରପଡା ଠାରୁ ଗଣ୍ଡର ଉପର ମୁଣ୍ଡ ଓ ତଳ ମୁଣ୍ଡ ଉଭୟ ପାର୍ଶ୍ଵରେ ପକ୍ଷୀ ଗଣନା କରାଯାଇଥିଲା। ଏଥିପାଇଁ ପ୍ରାୟ ୮ଟି ଟିମ ଗଠନ କରାଯାଇଥିଲା। ପ୍ରତ୍ୟକ ଟିମରେ ଜଣେ ଫରେଷ୍ଟରଙ୍କ ସମେତ ୪ଜଣ ଲେଖାଏଁ କର୍ମଚାରୀ ନିୟୋଜିତ ଥିଲେ। ଦେଶୀ ଡଙ୍ଗା ସହାୟତାରେ ଦୂରବୀକ୍ଷଣ ଯୋଗେ ପକ୍ଷୀ ମାନଙ୍କ ସ୍ଥିତି ଦେଖି ଆକଳନ କରାଯାଇଥିଲା।