ମୁଖ୍ୟ ଖବର

ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚରମ ଅବ୍ୟବସ୍ଥା: ପାୱାର କଟ୍ ପରେ ପୂରା ହସ୍ପିଟାଲ ଠପ୍, ରୋଗୀ ହନ୍ତସନ୍ତ

By Angul TV Bureau

November 16, 2025

ଅନୁଗୁଳ: ହସ୍ପିଟାଲରେ ଲାଇନ ପଳେଇଲା ଆଉ ସବୁ ବିଭାଗ ଠପ। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚରମ ଅବ୍ୟବସ୍ଥାର ଚିତ୍ର। ଶନିବାର ହସ୍ପିଟାଲରେ ପାୱାର କଟ୍ ପରେ ରୋଗୀ ତ୍ରାହି ତ୍ରାହି ଡାକିଥିଲେ।

ସୂଚନା ଅନୁସାରେ, ବିଦ୍ୟୁତ ବିଭାଗ ପକ୍ଷରୁ ମରାମତି ପାଇଁ ଶନିବାର ସକାଳ ୮ ଟାରୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ସାରା ଅନୁଗୁଳ ସହରରେ ବିଦ୍ୟୁତ୍ ସେବା ବନ୍ଦ ରହିଥିଲା, ଯାହାର ସିଧାସଳଖ ପ୍ରଭାବ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପଡ଼ିଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଦ୍ୟୁତ୍ ପାୱାର କଟ ହେଲେ କୌଣସି ବିକଳ୍ପ ନଥିବାରୁ ରୋଗୀଙ୍କ ରକ୍ତ ପରୀକ୍ଷା, ଏମିତିକି ଫିଜିଓଥେରାପି ବି ବନ୍ଦ ହୋଇଯାଇଥିଲା।

ଫଳରେ ଦୂର ଦୂରାନ୍ତରୁ ଆସିଥିବା ରୋଗୀ ରକ୍ତ ପରୀକ୍ଷା ନ କରି ପାରି ନିରାଶ ହୋଇ ଫେରିଥିଲେ। ଲାଇନ ନ ଥିବାରୁ ଡାକ୍ତରଖାନାର କିଛି କରିଡର ଓ ରୁମ ସମ୍ପୂର୍ଣ୍ଣ ଅନ୍ଧାର ହୋଇଯାଇଥିବା ଦେଖିବାକୁ ମିଳିଥିଲା। ଫଳ ସ୍ଵରୂପ ରୋଗୀମାନେ ହନ୍ତସନ୍ତ ହୋଇଥିଲେ। ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅବସ୍ଥା କେବେ ସୁଧୁରିବ ଓ ସ୍ଥିତି କେବେ ବଦଳିବ, ସେ ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ।