ମୁଖ୍ୟ ଖବର

ଆଣ୍ଡାମାନ ଛୁଇଁଲା ମୌସୁମୀ, ରଜ ବେଳକୁ ଓଡ଼ିଶାରେ ହେବ ରଜ ପାଗ

By Angul TV Bureau

May 19, 2024

ଭୁବନେଶ୍ବର: ଆଜି ଆଣ୍ଡାମାନ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। କୋମରିନ-ମାଳଦୀପ, ଦକ୍ଷିଣ ବଙ୍ଗୋପସାଗର, ନିକୋବର ଏବଂ ଦକ୍ଷିଣ ଆଣ୍ଡାମାନ ସାଗର ଦ୍ବୀପ ଅଞ୍ଚଳକୁ ମୌସୁମୀ ବାୟୁ ଅଗ୍ରସର ହେଉଛି। ଏହା ପ୍ରଭାବରେ ନିକୋବର ଦ୍ବୀପପୁଞ୍ଜରେ ପ୍ରବଳ ବର୍ଷା ହେଉଛି।

ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀର ଗତି ଆଗୁଆ ରହିଛି। ଏହା ପରେ କେରଳ ଆଡ଼କୁ ଅଗ୍ରସର ହେବ ମୌସୁମୀ। ଚଳିତ ଥର ନିର୍ଦ୍ଧାରିତ ସମୟ ଜୁନ ୧ ପୂର୍ବରୁ କେରଳ ଛୁଇଁବା ନେଇ କିଛି ଦିନ ତଳେ ପାଣିପାଗ ବିଜ୍ଞାନୀ ଆକଳନ କରିଥିଲେ। ତେବେ ଜୁନ୍ ୧୫ ବେଳକୁ ମୌସୁମୀ ଓଡ଼ିଶା ଛୁଇଁପାରେ। ଏଥର ମୌସୁମୀ ସ୍ବାଭାବିକ ସମୟରେ ଭାରତ ଭୂଖଣ୍ଡ ସମେତ ଓଡ଼ିଶାକୁ ଛୁଇଁବା ନେଇ ପାଣିପାଗର ବିଭିନ୍ନ ମଡେଲ୍‌ ଆକଳନ କରିଛନ୍ତି। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ୨୧ ତାରିଖ ଯାଏଁ ତାପମାତ୍ରା ସ୍ୱାଭାବିକଠୁ ୨ରୁ ୩ ଡିଗ୍ରୀ ଅଧିକ ରହିବ। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ଅଧିକ ରହିବ। ଉପକୂଳରେ ଆର୍ଦ୍ରତା ଅଧିକ ଥିବାରୁ ଗୁଳୁଗୁଳି ହେବ। ଦକ୍ଷିଣ ଓ ଦକ୍ଷିଣ ଉପକୂଳର କିଛି ସ୍ଥାନରେ କାଳବୈଶାଖୀ ହୋଇପାରେ।