ମୁଖ୍ୟ ଖବର

୨୪ ଘଣ୍ଟା ପରେ ବି ମିଳିଲାନି ଡେରଜାଙ୍ଗ ଡ୍ୟାମ୍‌ରେ ବୁଡ଼ିଥିବା ଯୁବକଙ୍କ ପତ୍ତା, କାଲି ପୁଣି ଖୋଜିବ ଅଗ୍ନିଶମ ବିଭାଗ

By Angul TV Bureau

August 08, 2022

ଅନୁଗୁଳ: ରବିବାର ବନ୍ଧୁତ୍ୱ ଦିବସରେ ଡେରଜାଙ୍ଗ ଡ୍ୟାମରେ ବୁଡିଯାଇଥିବା ଯୁବକଙ୍କର ଏବେ ଯାଏଁ କୌଣସି ପତ୍ତା ମିଳିନି। ଗତ କାଲିଠୁ ତାଙ୍କୁ ଉଦ୍ଧାର କରିବାକୁ କାମରେ ଲାଗିଥିବା ଅଗ୍ନିଶମ ବିଭାଗ ଆଜି ବି ନିରାଶ ହୋଇଛି। ଦୀର୍ଘ ୨୪ ଘଣ୍ଟା ପରେ ବି ନିଖୋଜ ଯୁବକଙ୍କର ସନ୍ଧାନ ମିଳିପାରିନାହିଁ।

ନିଖୋଜ ଯୁବକଙ୍କ ନାଁ ବିଭାଂଶୁ ହୋତା। ସେ ବାଙ୍ଗାଲୋରରେ ଏକ ଆଇଟି କମ୍ପାନୀରେ କାମ କରନ୍ତି। ବିଭାଂଶୁଙ୍କ ମା’ ପୁଷ୍ପାଞ୍ଜଳି ହୋତା ଅନୁଗୁଳ ନାଲକୋନଗର ସ୍ଥିତ ଡିପିଏସ୍ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାମ କରୁଥିବା ବେଳେ ବାପା ତ୍ରିନାଥ ଶଙ୍କର ହୋତା ହେଉଛନ୍ତି ନାଲକୋର ପୂର୍ବତନ ଡିଜିଏମ । ସାଙ୍ଗ ମାନଙ୍କ କହିବାନୁସାରେ, ବିଭାଂଶୁ କୂଳରେ ଡ୍ରେସ ରଖି ପାଣିକୁ ଯାଇଥିଲେ। ହାତ ଧୋଉଥିବା ବେଳେ ତାଙ୍କ ଗୋଡ଼ ଖସି ଯାଇଥିଲା। ଫଳରେ ସେ ଡ୍ୟାମ ମଝିକୁ ଚାଲିଯାଇଥିଲେ। ଖବର ପାଇ ଅନୁଗୁଳ ସଦର ଥାନା ଓ ଜରପଡ଼ା ଥାନା ପୋଲିସ ସହ ଅନୁଗୁଳ ସବ କଲେକ୍ଟର ପହଞ୍ଚିଥିଲେ। କିନ୍ତୁ ଏବେ ଯାଏଁ ତାଙ୍କୁ ଠାବ କରାଯାଇନାହିଁ। ଆସନ୍ତା କାଲି ପୁଣି ଖୋଜା ଖୋଜି ହେବ ବୋଲି ଅଗ୍ନିଶମ ବିଭାଗ ସୂଚନା ଦେଇଛି।