ଅନୁଗୁଳ: ଅନୁଗୁଳ ଛେଣ୍ଡିପଦା ରାସ୍ତାର ଜିନ୍ଦଲ ମେଟେରିଆଲ ଗେଟ୍ ଠାରୁ ନିଶା ଶିଳ୍ପାଞ୍ଚଳ ଥାନା ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରୁ ହଟିଲା ଜବରଦଖଲ। ଗୁରୁବାର ସକାଳେ ଏହି ଅଞ୍ଚଳକୁ ଜବରଦଖଲ ମୁକ୍ତ କରାଯାଇଛି। ବହୁ ଉଠା ଦୋକାନୀ ଏହି ସରକାରୀ ଜାଗାକୁ ଜବରଦଖଲ କରି ଚା ଜଳଖିଆ ଦୋକାନ, ଗ୍ୟାରେଜ, ହୋଟେଲ ଆଦି ଖୋଲିଥିଲେ। ଫଳରେ ରାସ୍ତା ସଂକୀର୍ଣ୍ଣ ହେବା ସହ ବିଭିନ୍ନ ସମୟରେ ଦୁର୍ଘଟଣାମାନ ଘଟୁଥିଲା। ଏହି ସଂକୀର୍ଣ୍ଣ ରାସ୍ତା ଯୋଗୁ ଜିନ୍ଦଲକୁ ଯିବା ଆସିବା ଟ୍ରକଗୁଡ଼ିକୁ ମାଲ ପରିବହନ ବେଳେ ଅସୁବିଧା ହେଉଥିଲା। ଏଣୁ ଆଜି ପୂର୍ତ୍ତ ବିଭାଗ ପକ୍ଷରୁ ପୋଲିସ ସହାୟତାରେ ରାସ୍ତାରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ଆଗକୁ ରାସ୍ତାକୁ ପ୍ରଶସ୍ତ କରାଯିବ ବୋଲି ସୂଚନା ମିଳିଛି।