ଅନୁଗୋଳ: ଅନୁଗୋଳ ଜିଲ୍ଲା ବଅଁରପାଳ ଅଞ୍ଚଳରେ ଦୀର୍ଘ ୫୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ରହିଆସୁଥିବା କନ୍ୟାବେଢା ହରିଜନ ସାହି ବସ୍ତି ଏବଂ ବାଲିଆ ମାର୍କେଟକୁ ଭାଙ୍ଗିବା ପାଇଁ ପ୍ରଶାସନ ପକ୍ଷରୁ ନୋଟିସ ଜାରି ହୋଇଛି। ଏହି ନୋଟିସ ପରେ ସ୍ଥାନୀୟ ବାସିନ୍ଦା ଓ ବ୍ୟବସାୟୀଙ୍କ ମଧ୍ୟରେ ଚିନ୍ତା ଏବଂ ଅସନ୍ତୋଷ ଦେଖାଦେଇଛି।ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ସେମାନେ ଦଶନ୍ଧି ଦଶନ୍ଧି ଧରି ଏଠାରେ ସ୍ଥାୟୀ ଭାବେ ବସବାସ କରିଆସୁଛନ୍ତି। ସେମାନଙ୍କ ପାଖରେ ଭୋଟର ପରିଚୟପତ୍ର, ଆଧାର କାର୍ଡ, ବିଦ୍ୟୁତ ସଂଯୋଗ ସମେତ ବିଭିନ୍ନ ସରକାରୀ ସୁବିଧା ରହିଛି। କିଛି ପରିବାର ନିୟମିତ ଖଜଣା ଦେଉଥିବାବେଳେ କେତେକ ସରକାରୀ ଆବାସ ଯୋଜନାରେ ଘର ମଧ୍ୟ ପାଇଛନ୍ତି।
ବର୍ଷ ବର୍ଷର ଠିକଣା ଏବଂ ଜୀବିକା ଉଜାଡ଼ି ହେବା ଆଶଙ୍କାରେ ଲୋକେ ଏହି ନୋଟିସକୁ ବିରୋଧ କରିଛନ୍ତି। ବିନା ଥଇଥାନ ଓ ବିକଳ୍ପ ବ୍ୟବସ୍ଥାରେ ହଠାତ୍ ଏଭଳି ଉଚ୍ଛେଦ ପଦକ୍ଷେପକୁ ନେଇ ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି।