ଘଟଣା ଓ ଦୁର୍ଘଟଣା

ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ: ୧୭୯ ଲିଟର ଦେଶୀ ରନ୍ଧାମଦ ଓ ୩ ଶହ କେଜି ମହୁଲପୋଚ ଜବତ, ୭ ଗିରଫ

By Angul TV Bureau

April 29, 2023

ଆଠମଲ୍ଲିକ : ଆଠମଲ୍ଲିକ ଓ ବଇଣ୍ଡା ଅବକାରୀ ବିଭାଗ ପକ୍ଷରୁ ଶୁକ୍ରବାର ଓ ଶନିବାର ହଣ୍ଡପା, କିଶୋରନଗର ଏବଂ ଠାକୁରଗଡ଼ ଥାନାର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରାଯାଇ ୧୭୯ ଲିଟର ଦେଶୀ ରନ୍ଧାମଦ ଓ ୩ ଶହ କେଜି ମହୁଲପୋଚ ଜବତ କରାଯିବା ସହ ୭ ଜଣଙ୍କୁ ଗିରଫ କରାଯାଇଛି। ଉପଖଣ୍ଡ ଭାରପ୍ରାପ୍ତ ଅବକାରୀ ନିରୀକ୍ଷକ ଧରଣୀଧର ପ୍ରହରାଜଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢ଼ଉରେ କଣ୍ଢାଳ ଗ୍ରାମର ଶିବରାମ ମିର୍ଦ୍ଧା (୨୯) ଙ୍କ ଠାରୁ ୩୫ ଲିଟର ଦେଶୀ ରନ୍ଧାମଦ, କିଶୋରନଗର ଥାନା କୁସୁଣୀ ଗ୍ରାମର ମନମୋହନ ବେହେରାଙ୍କ ଠାରୁ ୨୦ ଲିଟର ଓ ବାସନ୍ତୀ ବେହେରାଙ୍କ ଠାରୁ ୧୨ ଲିଟର, ଠାକୁରଗଡ଼ ଥାନା ଝିଲିମୁଣ୍ଡା ଗ୍ରାମର ପିଣ୍ଟୁ ଭୋଇଙ୍କ ଠାରୁ ୩୫ ଲିଟର, ପେଡିପଥର ଗ୍ରାମର ରଞ୍ଜନ ପ୍ରଧାନଙ୍କ ଠାରୁ ୩୫ ଲିଟର ରନ୍ଧାମଦ ଓ ୩ ଶହ କିଲୋ ମହୁଲପୋଚ, ଶିମିଳିଆଦାଣ୍ଡି ଗ୍ରାମର କାଳିଆ ସେଠୀଙ୍କ ଠାରୁ ୨୨ ଲିଟର ଓ କରଡ଼ାବାହାଳୀ (ଖ)ଗ୍ରାମର ରବୀନ୍ଦ୍ର ବେହେରାଙ୍କ ଠାରୁ ୨୦ ଲିଟର ଦେଶୀ ରନ୍ଧାମଦ ଜବତ କରାଯାଇଛି। ଏଥିସହ ୭ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ଚଢ଼ଉ ସମୟରେ ବଇଣ୍ଡା ଅବକାରୀ ଉପନିରୀକ୍ଷକ ରଞ୍ଜିତା ହରିଚନ୍ଦନ, ସହକାରୀ ଉପନିରୀକ୍ଷକ ମାନସ ରଞ୍ଜନ ପ୍ରଧାନ ଓ ଆଠମଲ୍ଲିକ ବଇଣ୍ଡା ଅବକାରୀ କର୍ମଚାରୀ ଉପସ୍ଥିତ ଥିଲେ।