ମୁଖ୍ୟ ଖବର

ପୌର ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକୁ ଖାତିର ନକରିବା ପଡ଼ିଲା ମହଙ୍ଗା: ଆଠମଲ୍ଲିକ EOଙ୍କୁ କାରଣ ଦର୍ଶାଅ ନୋଟିସ

By Angul TV Bureau

May 01, 2026

ଅନୁଗୁଳ: ସରକାରୀ ନିର୍ଦ୍ଦେଶକୁ ଅବମାନନା କରିବା କାରଣରୁ ଆଠମଲ୍ଲିକ ଏନଏସି ନିର୍ବାହୀ ଅଧିକାରୀ ଚନ୍ଦ୍ରକାନ୍ତ ବେହେରା ଅଡୁଆରେ ପଡ଼ିଛନ୍ତି। ପୌର ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ତାଙ୍କୁ ‘କାରଣ ଦର୍ଶାଅ’ ନୋଟିସ ଜାରି କରିବା ସହ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଛନ୍ତି।

ଘଟଣା ଅନୁଯାୟୀ, ଆଠମଲ୍ଲିକ ଏନଏସିର ସ୍ୱର୍ଗତ ଟାକ୍ସ କଲେକ୍ଟର ଦିଲ୍ଲୀପ ସିଂହଙ୍କ ପୁତ୍ର ରଶ୍ମିରଞ୍ଜନ ସିଂହଙ୍କୁ ପୁନର୍ବାସ ସହାୟତା ଯୋଜନାରେ ନିଯୁକ୍ତି ଦେବା ପାଇଁ ପୌର ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଆଠମଲ୍ଲିକ ଏନଏସି କର୍ତ୍ତୃପକ୍ଷ କାଗଜପତ୍ର ଯାଞ୍ଚ ନାଁରେ ଅନାବଶ୍ୟକ ମେଡିକାଲ ସାର୍ଟିଫିକେଟ ମାଗି ରଶ୍ମିରଞ୍ଜନଙ୍କୁ ହଇରାଣ କରିଥିବା ଅଭିଯୋଗ ହୋଇଥିଲା। ଏହାକୁ ସରକାରୀ କର୍ମଚାରୀ ଆଚରଣ ବିଧି ୧୯୫୯ର ନିୟମ ୩ ଓ ୪ ର ସ୍ପଷ୍ଟ ଉଲ୍ଲଂଘନ ଦର୍ଶାଇ ପୌର ନିର୍ଦ୍ଦେଶକ କ୍ଷୋଭ ପ୍ରକାଶ କରିଥିଲେ।

ଶେଷରେ ପୌର ନିର୍ଦ୍ଦେଶକଙ୍କ ହସ୍ତକ୍ଷେପ ପରେ, ଅନୁଗୁଳ ପୌର ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ରଶ୍ମିରଞ୍ଜନଙ୍କୁ ଅନୁଗୋଳ ପୌରପାଳିକାରେ ନିଯୁକ୍ତି ପ୍ରଦାନ କରାଯାଇଛି। ଅନ୍ୟପଟେ, ଆଠମଲ୍ଲିକ ନିର୍ବାହୀ ଅଧିକାରୀ ଶ୍ରୀ ବେହେରା ଏହି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ କେବଳ ଆଇନଗତ ପ୍ରକ୍ରିୟା ପାଇଁ ଦସ୍ତାବିଜ ଯାଞ୍ଚ କରାଯାଉଥିଲା।