ମୁଖ୍ୟ ଖବର

ହଣ୍ଡପା ସ୍ଵାସ୍ଥ୍ୟ କେନ୍ଦ୍ରରେ ଏକ୍ସପାଏରି ଔଷଧକୁ ନେଇ ଉତ୍ତେଜନା

By Biswaranjan Pattnaik

July 06, 2025

ଅନୁଗୁଳ: ଗୁଲଜାର ଖାନ୍ ନାମକ ଜଣେ ଯୁବକ କ୍ଷତ ଡ୍ରେସିଂ ପାଇଁ ଗତ ଶନିବାର ଦିନ ବେଳା ହଣ୍ଡପା ସ୍ଵାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ।ତେବେ ସେଠାରେ ଥିବା କର୍ମଚାରୀ ଏକ୍ସପାଏରି ଔଷଧ,ମଲମ ଲଗାଇଥିବା ଦେଖି ପ୍ରତିବାଦ କରିଥିଲେ। କେନ୍ଦ୍ରର ଫାର୍ମାସିଷ୍ଟ ଏଥିରେ ଅସୁବିଧା କିଛି ନାହିଁ ବୋଲି କହିଥିଲେ। ଫଳରେ ରୋଗୀଙ୍କ ସମ୍ପର୍କୀୟ ସାଙ୍ଗ ସାଥୀ ଏବଂ କର୍ମଚାରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଶେଷରେ ସିଡ଼ିଏମ୍ଓ ହସ୍ତକ୍ଷେପ କରି ତଦନ୍ତ କରିବେ ବୋଲି କହିବାରୁ ପରିସ୍ଥିତି ଶାନ୍ତ ପଡିଥିଲା।

ପ୍ରଶ୍ନ ଉଠୁଛି ସ୍ବାସ୍ଥ୍ୟ କେନ୍ଦ୍ର ମାନଙ୍କରେ ଅତୀତରେ ବେଳେବେଳେ ଅବଧି ଶେଷ ଔଷଧ ଦିଆ ଯାଉଥିବା ନେଇ ଅଭିଯୋଗ ହେଉଛି। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗୋଦାମରୁ ସବୁ ସ୍ବାସ୍ଥ୍ୟ କେନ୍ଦ୍ରକୁ ଔଷଧ ଚାଲାଣ ବେଳେ ଔଷଧର ଅବଧି ନେଇ ଯାଞ୍ଚ ହେଉଛି ନା ନାହିଁ? ଏଥିପାଇଁ ଜଣେ ମେଡିକାଲ ଅଫିସର ଥିବା ବେଳେ ତାଙ୍କ ଦାୟିତ୍ଵ କିଭଳି ରହୁଛି ସେଥିନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି? ଉକ୍ତ ନୋଡାଲ ଅଧିକାରୀ ସବୁ ସ୍ବାସ୍ଥ୍ୟ କେନ୍ଦ୍ର ବୁଲି ଔଷଧର ଅବଧି ଯାଞ୍ଚ କରିବା କଥା ତାହା ସମ୍ଭବତଃ ହେଉ ନାହିଁ। କେତେକ କ୍ଷେତ୍ରରେ ଅବଧି ଶେଷ ଔଷଧ ଗୁଡ଼ିକର ହିସାବ ରଖା ଯିବା ସହ ନିୟମ ଅନୁସାରେ ସେସବୁକୁ ନଷ୍ଟ କରାଯିବା ଦରକାର। ମାତ୍ର ଏଭଳି ନହେବାରୁ ରୋଗୀଙ୍କୁ ଅବଧି ଶେଷ ଔଷଧ ଦିଆଯାଉଥିବା ଜଣାପଡିଛି।

ଘଟଣା ନେଇ ସିଡିଏମଓ ତଦନ୍ତ କଲାପରେ ତ୍ରୁଟି କେଉଁଠି ରହୁଛି ତାହା ଜଣାପଡ଼ିବ। ରୋଗୀଙ୍କ ଜୀବନ ସହ ଏଭଳି ଖେଳ ନେଇସାଧାରଣରେ ଅସନ୍ତୋଷ ଦେଖାଦେଇଛି।